• Thu. Mar 19th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ରକ୍ତ ଦେବା ସମୟରେ ଫଟୋ ଉତ୍ତୋଳନ ଉପରେ ପ୍ରତିବନ୍ଧ—ରକ୍ତଦାତାଙ୍କ ମଧ୍ୟରେ ଅସନ୍ତୋଷ

Byodishri Live

Dec 14, 2025

କଳାହାଣ୍ଡି:
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ଅନ୍ତର୍ଗତ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଅବସ୍ଥିତ ଓଡ଼ିଶା ରକ୍ତ ଭଣ୍ଡାର କେନ୍ଦ୍ର, ଧର୍ମଗଡ଼ରେ ରକ୍ତଦାନ ସମୟରେ ଫଟୋ ଉତ୍ତୋଳନ କରିବା ସଂପୂର୍ଣ୍ଣ ଭାବେ ମନା କରାଯାଇଥିବା ଘଟଣାକୁ ନେଇ ରକ୍ତଦାତାମାନଙ୍କ ମଧ୍ୟରେ ଭାରି ଅସନ୍ତୋଷ ଦେଖାଦେଇଛି।

ରକ୍ତଦାତାମାନଙ୍କ ପ୍ରଶ୍ନ—ରକ୍ତ ଦେବା ସମୟରେ ଫଟୋ ଉତ୍ତୋଳନ କଲେ ସ୍ୱାସ୍ଥ୍ୟ ବିଭାଗଙ୍କୁ ଅସୁବିଧା କ’ଣ? ପୂର୍ବ ସରକାର ସମୟରେ ଅନେକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗାଁ ଗାଁ ଯାଇ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ରାଲି ଓ ସଚେତନତା କାର୍ଯ୍ୟକ୍ରମ କରି ରକ୍ତଦାନ ପ୍ରତି ଜନସାଧାରଣଙ୍କୁ ଉତ୍ସାହିତ କରୁଥିଲେ।

କଳାହାଣ୍ଡି ଜିଲ୍ଲାରେ ପାଖାପାଖି ୮୦ ପ୍ରତିଶତ ଯୁବକ, ଯୁବତୀ, ପୁରୁଷ, ମହିଳା ଓ ବିକଳାଙ୍ଗ ବ୍ୟକ୍ତି ରକ୍ତଦାନ ପାଇଁ ଆଗେଇ ଆସୁଛନ୍ତି। କେହି ନିଜ ଜନ୍ମଦିନ, କେହି ବାପା-ମାଆଙ୍କ ଶ୍ରାଦ୍ଧ ବାର୍ଷିକ, ଆଉ କେହି ବିବାହ ବାର୍ଷିକ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ରକ୍ତଦାନ କରୁଛନ୍ତି। ସେହି ସ୍ମୃତିକୁ ଧରି ରଖିବା ପାଇଁ ରକ୍ତଦାନ ସମୟରେ ଫଟୋ ଉତ୍ତୋଳନ କରିବାକୁ ଚାହୁଁଥିବା ସତ୍ତ୍ୱେ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଏହାକୁ ମନା କରାଯାଉଛି।

ରକ୍ତଦାତାଙ୍କୁ ଉତ୍ସାହିତ କରିବା ପରିବର୍ତ୍ତେ ଅପମାନିତ କରାଯାଉଥିବା ଅଭିଯୋଗ ମଧ୍ୟ ଆସିଛି। ରକ୍ତଦାନ ସମୟର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେଲେ ତାହାକୁ ଦେଖି ଅନେକ ଯୁବା-ଯୁବତୀ ରକ୍ତଦାନ ପାଇଁ ପ୍ରେରିତ ହୁଅନ୍ତି ବୋଲି ରକ୍ତଦାତାମାନେ କହିଛନ୍ତି।

ସମଗ୍ର ଦେଶରେ ରକ୍ତଦାନ ସମୟରେ ଫଟୋ ଉତ୍ତୋଳନ ଉପରେ କୌଣସି ପ୍ରତିବନ୍ଧ ନଥିବା ବେଳେ କେବଳ ଧର୍ମଗଡ଼ରେ ଏପରି ନିୟମ ରହିବା ଏକ ରାଜନୈତିକ ଓ ପ୍ରଶାସନିକ ପ୍ରଶ୍ନ ସୃଷ୍ଟି କରୁଛି।

ଏହି ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ଧ୍ୟାନ ଦେବା ସହ ରକ୍ତଦାନ ସମୟରେ ଅତି କମରେ ଗୋଟିଏ ବ୍ୟକ୍ତିଙ୍କୁ ଉପସ୍ଥିତ ରହି ଫଟୋ ଉତ୍ତୋଳନ ପାଇଁ ଅନୁମତି ଦେବାକୁ ଖବରକାଗଜ ମାଧ୍ୟମରେ ରକ୍ତଦାତାମାନେ ଅନୁରୋଧ କରିଛନ୍ତି।

ରିପୋର୍ଟ: କ୍ରିଷ୍ଣା ନାଗ
ସ୍ଥାନ: କଳାହାଣ୍ଡି
ଚ୍ୟାନେଲ୍: ODISRI LIVE


Spread the love

Leave a Reply

Your email address will not be published. Required fields are marked *