ବଡ଼ଚଣା, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲାର ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର, ନର୍ସ ଓ ଆବଶ୍ୟକ ସୁବିଧାର ଅଭାବ ଯୋଗୁଁ ରୋଗୀସେବା ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ଦୁଇଟି ଜାତୀୟ ରାଜପଥ ନିକଟରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଥିବାରୁ ଦୁର୍ଘଟଣାଜନିତ ରୋଗୀଙ୍କ ସମେତ ବଡ଼ଚଣା, ମାହାଙ୍ଗା ଓ ଢେଙ୍କାନାଳ ଅଞ୍ଚଳର ଲୋକେ ଏହା ଉପରେ ନିର୍ଭର କରୁଥିବା କୁହାଯାଇଛି।
ସ୍ଥାନୀୟଙ୍କ ଅଭିଯୋଗ ଅନୁଯାୟୀ, ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବାରୁ ରୋଗୀମାନେ ଅସୁବିଧାରେ ପଡ଼ୁଛନ୍ତି। ମେଡିସିନ ଓ ସର୍ଜରୀ ବିଭାଗ ସହ ମେଡିକାଲ ଅଫିସର ପଦବି ଖାଲି ଥିବା ଅଭିଯୋଗ ହୋଇଛି। ଏଥିସହ ନର୍ସଙ୍କ ଅଭାବ ଯୋଗୁଁ ଇଞ୍ଜେକସନ ଓ ସାଲାଇନ ପାଇଁ ରୋଗୀଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଥିବା କୁହାଯାଇଛି।
ସ୍ୱାସ୍ଥ୍ୟକେନ୍ଦ୍ରରେ ନିର୍ମିତ ଚାଇଲ୍ଡ କେୟାର ୟୁନିଟ୍ ମଧ୍ୟ ଠିକ୍ ଭାବେ କାର୍ଯ୍ୟକ୍ଷମ ନଥିବା ଅଭିଯୋଗ ରହିଛି। ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା କିଛି ଉପକରଣ ଏବେ ଦେଖିବାକୁ ମିଳୁନଥିବା ନେଇ ମଧ୍ୟ ସ୍ଥାନୀୟଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି।
ଅନ୍ୟପକ୍ଷରେ, ରୋଗୀଙ୍କୁ ଆବଶ୍ୟକ ପରିମାଣର ସରକାରୀ ଔଷଧ ମିଳୁନଥିବା ଅଭିଯୋଗ ହୋଇଛି। ଚିଠାରେ ଥିବା କିଛି ଔଷଧ ହସ୍ପିଟାଲରେ ମିଳୁଥିବା ବେଳେ ଅନ୍ୟ ଔଷଧ ବାହାରୁ କିଣିବାକୁ ପଡ଼ୁଥିବା ରୋଗୀ ଓ ସମ୍ପର୍କୀୟମାନେ କହିଛନ୍ତି।
ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର, ନର୍ସ ଓ ଆବଶ୍ୟକ ସୁବିଧା ଯୋଗାଇ ଦେବା ସହ ଚାଇଲ୍ଡ କେୟାର ୟୁନିଟ୍କୁ ସଠିକ୍ ଭାବେ କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ସରକାରଙ୍କ ନିକଟରେ ଦାବି କରିଛନ୍ତି।
