ବବଡ଼ଚଣା, (ଓଡ଼ିଶ୍ରୀ ସମ୍ବାଦ): ଓଡ଼ିଶା ବନ୍ଦ ଡାକର ପ୍ରଭାବ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ଚଣ୍ଡିଖୋଲ ଛକରେ ଦେଖିବାକୁ ମିଳିଛି। ବଡ଼ଚଣା କଂଗ୍ରେସ ସଭାପତି ଅଜୟ କୁମାର ସାମଲଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବନ୍ଦକୁ ସମର୍ଥନ ଜଣାଇ ପ୍ରତିବାଦ କରିଛନ୍ତି।
‘ଭୋଟ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ, ଗଣତନ୍ତ୍ର ବଞ୍ଚାଅ ଏବଂ ଦେଶ ବଞ୍ଚାଅ’ ନାରା ଦେଇ କଂଗ୍ରେସ କର୍ମୀମାନେ ଚଣ୍ଡିଖୋଲ ଛକରେ ପ୍ରତିବାଦ କରିଥିଲେ। ବନ୍ଦ ସମୟରେ କଂଗ୍ରେସ କର୍ମୀମାନେ ବିଭିନ୍ନ ନାରା ଦେଇ ଚଣ୍ଡିଖୋଲସ୍ଥିତ ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ।
ଜାତୀୟ ରାଜପଥ ଅବରୋଧ ଯୋଗୁଁ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିବା ଦେଖାଯାଇଛି। ଫଳରେ ଚଣ୍ଡିଖୋଲ ଅଞ୍ଚଳରେ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି।
ଏହାସହ ଚଣ୍ଡିଖୋଲ ବଜାରର ଅଧିକାଂଶ ଦୋକାନ ବନ୍ଦ ରହିଥିବାରୁ ସ୍ଥାନୀୟ ବ୍ୟବସାୟିକ କାରବାର ମଧ୍ୟ ପ୍ରଭାବିତ ହୋଇଛି। ବନ୍ଦ ଯୋଗୁଁ ଅଞ୍ଚଳରେ ସାଧାରଣ ଜନଜୀବନ ଆଂଶିକ ଭାବେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।
