• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଲେଫ୍ରୀଖଣ୍ଡି ମନ୍ଦିର ପରିସରରେ ବୋରିଂ ନିର୍ମାଣ ଦାବି, ଜଳକଷ୍ଟରେ ସ୍ଥାନୀୟ ଲୋକ ଓ ଶ୍ରଦ୍ଧାଳୁ

Byodishri Live

Oct 8, 2026

ଚାରମାଳ, (ଓଡ଼ିଶ୍ରୀ ସମ୍ବାଦ): ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ବଡ଼ମାଳ ପଞ୍ଚାୟତର ସାଇବେର୍ଣ୍ଣି ଗ୍ରାମର ପ୍ରସିଦ୍ଧ ଲେଫ୍ରୀଖଣ୍ଡି ମନ୍ଦିର ପରିସରରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ, ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଜଳକଷ୍ଟ ଦୂର କରିବା ପାଇଁ ଏକ ନୂତନ ବୋରିଂ ନିର୍ମାଣ ସହ ପାନୀୟ ଜଳ ପ୍ରକଳ୍ପ କରିବାକୁ ଦାବି ହୋଇଛି।

ମନ୍ଦିରକୁ ପ୍ରତିଦିନ ଶତାଧିକ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସୁଥିବା ବେଳେ ପରିସରରେ ସ୍ୱଚ୍ଛ ପାନୀୟ ଜଳର ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି। ବିଶେଷକରି ପର୍ବପର୍ବାଣୀ ଓ ଗ୍ରୀଷ୍ମ ଋତୁରେ ପାଣି ପାଇଁ ଶ୍ରଦ୍ଧାଳୁ ଏବଂ ମନ୍ଦିର ପରିଚାଳନା କମିଟିକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ସ୍ଥାନୀୟ ଲୋକେ କହିଛନ୍ତି।

ମନ୍ଦିରର ନିତିକାନ୍ତି, ପୂଜାପାଠ ଓ ରୋଷେଇ କାର୍ଯ୍ୟ ପାଇଁ ମଧ୍ୟ ପ୍ରଚୁର ଜଳର ଆବଶ୍ୟକତା ରହିଛି। ମନ୍ଦିର ପରିସରରେ ଦୁଇଟି ନଳକୂପ ଥିଲେ ମଧ୍ୟ ସେଥିରୁ ମିଳୁଥିବା ପାଣି ପାନୀୟ ଉପଯୋଗୀ ନୁହେଁ ବୋଲି ଅଭିଯୋଗ ହୋଇଛି। ତେଣୁ ଏକ ନୂତନ ବୋରିଂ ସହ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ କରାଗଲେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ଶ୍ରଦ୍ଧାଳୁମାନେ ମତ ଦେଇଛନ୍ତି।

ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏନେଇ ପୂର୍ବରୁ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆବଶ୍ୟକ ପଦକ୍ଷେପ ନିଆଯାଇନାହିଁ। ମନ୍ଦିର ପରିସରରେ ଏକ ହାଇଫୋର୍ସ ବୋରିଂ ସହ ଓଭରହେଡ୍ ଟାଙ୍କି ନିର୍ମାଣ କରାଗଲେ ଜଳ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ସେମାନେ କହିଛନ୍ତି।

ଆଗାମୀ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବୋରିଂ ନିର୍ମାଣ ସହ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ମନ୍ଦିର ପୂଜକ ସତ୍ୟନାରାୟଣ ଥନାପତି ଓ ମନ୍ଦିର କମିଟି ସଦସ୍ୟମାନେ ଦୃଢ଼ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *