ପଶ୍ଚିମ ଓଡ଼ିଶା: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଏହି ପର୍ବକୁ ନେଇ ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଉଠିଛି। ସୁନ୍ଦରଗଡ଼ରୁ ସମ୍ବଲପୁର, ବଲାଙ୍ଗିରରୁ ବରଗଡ଼ ଏବଂ କଳାହାଣ୍ଡିରୁ ଦେବଗଡ଼ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି ପାରମ୍ପରିକ ଉତ୍ସବର ମାହୋଲ।
ଘଣ୍ଟ, ଘଣ୍ଟା ଓ ପଞ୍ଚବାଦ୍ୟରେ କମ୍ପୁଛି ଗାଁଠୁ ସହର। ପିଠାପଣାର ମହକରେ ମହକୁଛି ପରିବେଶ। ନୂଆଖାଇ ପାଇଁ ଘରେ ଘରେ ଚାଲିଛି ପ୍ରସ୍ତୁତି। ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ନୂଆ ଖାଇବା ସହ ପରମ୍ପରାକୁ ପାଳନ କରୁଛନ୍ତି।
ସକାଳେ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ପରିବାରର ସମସ୍ତେ ଏକାଠି ହୋଇ ନୂଆ ଖାଇବେ। ପୂଜାବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରିବେ।
ଏହାପରେ ପରିବାରର ସମସ୍ତ ସଦସ୍ୟ ବୟସ୍କମାନଙ୍କୁ ଭୂମିଷ୍ଠ ପ୍ରଣାମ କରି ଆଶୀର୍ବାଦ ନେବାର ପରମ୍ପରା ରହିଛି। ନୂଆ ଖାଇବା ପରେ ଆରମ୍ଭ ହେବ ଭେଟଘାଟ। ବନ୍ଧୁବାନ୍ଧବ ଓ ପରିଜନଙ୍କ ସହ ମିଶି ନୂଆଖାଇର ଖୁସି ବାଣ୍ଟିବେ ଲୋକେ।
ଏହି ଅବସରରେ ରାଜ୍ୟବାସୀଙ୍କୁ ନୂଆଖାଇର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି। ନୂଆଖାଇର ଭାଇଚାରା, ପରମ୍ପରା ଓ ସାମାଜିକ ଏକତାର ବାର୍ତ୍ତା ମଧ୍ୟରେ ଉତ୍ସବମୁଖର ହୋଇଉଠିଛି ସମଗ୍ର ପଶ୍ଚିମ ଓଡ଼ିଶା।
