ଆଶ୍ରୟସ୍ଥଳରେ ଥିବା ୧୦୫ ପରିବାରଙ୍କ ସମେତ ଅନ୍ୟ ପ୍ରଭାବିତଙ୍କୁ ଭେଟିଲେ; ରିଲିଫ୍ ଓ ଥଇଥାନ କାର୍ଯ୍ୟର ସମୀକ୍ଷା
ଭୁବନେଶ୍ୱର, (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲାର ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛି ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ। ବିଜେଡି ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ପ୍ରତିନିଧି ଦଳ ରାଇକିଆ ବ୍ଲକ୍ର ଭୂସ୍ଖଳନ ପ୍ରଭାବିତ ଅଞ୍ଚଳକୁ ଯାଇ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରଭାବିତ ପରିବାରଙ୍କୁ ଭେଟିଛନ୍ତି।
ପ୍ରତିନିଧି ଦଳ ରାଇକିଆ ବ୍ଲକ୍ ଅନ୍ତର୍ଗତ କିଳପାଙ୍ଗ ୟୁପି ସ୍କୁଲରେ ଆଶ୍ରୟ ନେଇଥିବା ୩୦ଟି ପରିବାରଙ୍କୁ ଭେଟିଥିଲେ। ସେହିପରି ମାଣିକେଶ୍ୱରୀ ଗାଁର ଯୋଗେଶ୍ୱରୀ ହାଇସ୍କୁଲରେ ଆଶ୍ରୟ ନେଇଥିବା ୧୦୫ଟି ପରିବାର ଏବଂ ଇନ୍ଦ୍ରଗଡ଼ ଗାଁର ୩୦ଟି ପ୍ରଭାବିତ ପରିବାରଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିଥିଲେ।
ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଘଟିଥିବା ଭୂସ୍ଖଳନରେ ଗୋଟିଏ ପରିବାରର ଜଣେ ଶିଶୁଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୨ ଜଣ ନିଖୋଜ ଥିବା ବିଜେଡି ପକ୍ଷରୁ ଜାରି ସୂଚନାରେ କୁହାଯାଇଛି। ପ୍ରତିନିଧି ଦଳ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଡାଙ୍ଗେସି ଗ୍ରାମରେ ଭୂସ୍ଖଳନ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସ୍ଥିତି ପରଖିଥିଲେ।
ଏହା ସହ ଉଦ୍ଧାର, ରିଲିଫ୍ ଓ ଥଇଥାନ କାର୍ଯ୍ୟର ସମୀକ୍ଷା କରିଥିଲେ। କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ସେମାନେ ଅନୁରୋଧ କରିଛନ୍ତି।
ଡାଙ୍ଗେସି ଗ୍ରାମର ବାସ୍ତବ ସ୍ଥିତି ଓ ପ୍ରଭାବିତ ଲୋକଙ୍କ ସମସ୍ୟା ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ ବୋଲି ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି।
ଏହି ପ୍ରତିନିଧି ଦଳରେ ସୁଦାମ ମାରାଣ୍ଡି, ପଦ୍ମନାଭ ବେହେରା ଓ ସାଲୁଗା ପ୍ରଧାନଙ୍କ ସମେତ ସ୍ଥାନୀୟ ବିଜେଡି ନେତୃମଣ୍ଡଳୀ ସାମିଲ ଥିଲେ।
