• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଭଦ୍ରକର ଐତିହାସିକ କାଳୀପୂଜା ପାଇଁ ବ୍ୟାପକ ପ୍ରସ୍ତୁତି

Byodishri Live

Nov 5, 2026

ନଅ ଦିନ ଧରି ଚାଲିବ ସେବା ଓ ଜନକଲ୍ୟାଣ କାର୍ଯ୍ୟକ୍ରମ; ଭକ୍ତଙ୍କ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷାକୁ ସ୍ୱତନ୍ତ୍ର ବ୍ୟବସ୍ଥା

ଭଦ୍ରକ (ଓଡ଼ିଶ୍ରୀ ସମ୍ବାଦ): ଭଦ୍ରକର ଐତିହାସିକ କାଳୀପୂଜାକୁ ଭବ୍ୟ, ଆକର୍ଷଣୀୟ ଓ ଶାନ୍ତିଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ ପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ନଅ ଦିନ ଧରି ମା’ଙ୍କ ପୂଜାର୍ଚ୍ଚନା ସହ ବିଭିନ୍ନ ସେବାମୂଳକ ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟବସ୍ଥା କରାଯାଉଛି।

କମିଟିର ପିଡବ୍ଲ୍ୟୁଡି ସେକ୍ରେଟାରୀ ଗଣେଶ ମହାନ୍ତିଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ କାଳୀପୂଜାକୁ ନିଆରା ଢଙ୍ଗରେ ପାଳନ କରିବାକୁ ଯୋଜନା ରହିଛି। ନଅ ଦିନ ଧରି ରକ୍ତଦାନ ଶିବିର, ସ୍ୱଚ୍ଛତା ଅଭିଯାନ ସମେତ ବିଭିନ୍ନ ସେବାମୂଳକ ଓ ପ୍ରଶାସନିକ କାର୍ଯ୍ୟକ୍ରମ ହେବ। ନିର୍ଦ୍ଧାରିତ ଦିନରେ ମା’ଙ୍କ ଭସାଣି ଉତ୍ସବ ମଧ୍ୟ ଆୟୋଜିତ ହେବ।

ପୂଜା ଆୟୋଜନରେ ସହଯୋଗ କରିଥିବା ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କୁ କମିଟି ପକ୍ଷରୁ କୃତଜ୍ଞତା ଜଣାଯାଇଛି। ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରତ୍ୟେକ ପୂଜା ମଣ୍ଡପକୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ ବୋଲି କମିଟି ଆଶା ପ୍ରକାଶ କରିଛି। ସେହିପରି ବିଧାୟକଙ୍କ ପକ୍ଷରୁ ପ୍ରଥମ ଓ ଦ୍ୱିତୀୟ ପୁରସ୍କାର ପାଇଁ ଏକ ଲକ୍ଷ ଟଙ୍କା ଦେବା ନେଇ ଘୋଷଣାକୁ ମଧ୍ୟ କମିଟି ସ୍ୱାଗତ କରିଛି।

ପୂଜା ସମୟରେ ମା’ଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ମଣ୍ଡପ ପରିସରରେ ସିସିଟିଭି କ୍ୟାମେରା ଲଗାଯିବ। ପକେଟମାରି ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକଳାପ ରୋକିବା ପାଇଁ ପୋଲିସ ଓ ସୁରକ୍ଷାକର୍ମୀଙ୍କ ନଜର ରହିବ। ଏହି ବ୍ୟବସ୍ଥାରେ ରେଳବାଇ କର୍ମଚାରୀ, ସିଭିଲ୍‌ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ମଧ୍ୟ ସହଯୋଗ କରିବେ।

ପୋଲିସ ଆରକ୍ଷୀ ଅଧୀକ୍ଷକଙ୍କ ପକ୍ଷରୁ ପୂଜା କମିଟିକୁ ସମସ୍ତ ପ୍ରକାର ସହଯୋଗର ପ୍ରତିଶ୍ରୁତି ମିଳିଥିବାରୁ କମିଟି ଧନ୍ୟବାଦ ଜଣାଇଛି। ପୂଜା ସମୟରେ ଆସୁଥିବା ସାମ୍ବାଦିକମାନଙ୍କୁ ସମ୍ମାନ ଓ ଆତିଥ୍ୟ ପ୍ରଦାନ ସହ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଛି।

ସମସ୍ତଙ୍କ ସହଯୋଗରେ ଭଦ୍ରକର ଐତିହାସିକ କାଳୀପୂଜାକୁ ଶାନ୍ତି, ଶୃଙ୍ଖଳା ଓ ଭକ୍ତିମୟ ପରିବେଶରେ ସମ୍ପନ୍ନ କରିବାକୁ ପୂଜା କମିଟି ଆଶା ପ୍ରକାଶ କରିଛି।

Spread the love

Leave a Reply

Your email address will not be published. Required fields are marked *