ବଡ଼ଚଣା (ଓଡ଼ିଶ୍ରୀ ସମ୍ବାଦ): ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ବଡ଼ଚଣା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ମହାବିନାୟକ ପାହାଡ଼ ପାଦଦେଶରେ ଥିବା ପର୍ବତଶୋଭା ପରିସରରେ ଏକ ସଚେତନତା ଶିବିର ଆୟୋଜିତ ହୋଇଛି।
ଡାଲିଯୋଡ଼ା ବନାଞ୍ଚଳ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ବୈରୀସ୍ଥିତ ଡାଲିଯୋଡ଼ା ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବଡ଼ଚଣା ବ୍ଲକ ଅଞ୍ଚଳର ବହୁ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ବନ୍ୟପ୍ରାଣୀ ସୁରକ୍ଷା ଓ ମାନବ-ବନ୍ୟପ୍ରାଣୀ ସଂଘର୍ଷ ସମ୍ପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଶିବିରରେ ବଉଳା କୁମ୍ଭୀର ଓ ବଣୁଆ ହାତୀ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବଉଳା କୁମ୍ଭୀରର ସ୍ୱଭାବ ଓ ପ୍ରବୃତ୍ତି, ମାଛଖିଆ କୁମ୍ଭୀର ଏବଂ ଶାନ୍ତ ପ୍ରକୃତିର କୁମ୍ଭୀର ସମ୍ପର୍କରେ ବନାଞ୍ଚଳ ଅଧିକାରୀ ଶ୍ରୀ ସୁବୁଦ୍ଧି ସୂଚନା ଦେଇଥିଲେ।
ଏହାସହ ବଣୁଆ ହାତୀ ଆକ୍ରମଣରେ କେହି ମୃତାହତ ହେଲେ କିମ୍ବା ହାତୀ ଦ୍ୱାରା ଘର ଭାଙ୍ଗିଲେ ସରକାରଙ୍କ ପକ୍ଷରୁ ଉପଲବ୍ଧ ଆର୍ଥିକ ସହାୟତା ସମ୍ପର୍କରେ ସୂଚନା ଦିଆଯାଇଥିଲା। ନିଜ ନାମରେ ଥିବା ଜମି ଉପରେ ନିର୍ମିତ ଘର ହାତୀ ଦ୍ୱାରା କ୍ଷତିଗ୍ରସ୍ତ ହେଲେ ମଧ୍ୟ ନିୟମ ଅନୁଯାୟୀ ଆର୍ଥିକ ସହାୟତାର ବ୍ୟବସ୍ଥା ରହିଥିବା ଶ୍ରୀ ସୁବୁଦ୍ଧି କହିଥିଲେ।
ସେହିପରି କୁମ୍ଭୀର ଆକ୍ରମଣରେ କୌଣସି ବ୍ୟକ୍ତି କ୍ଷତିଗ୍ରସ୍ତ ହେଲେ ସରକାରୀ ନିୟମ ଅନୁଯାୟୀ ଆର୍ଥିକ ସହାୟତାର ବ୍ୟବସ୍ଥା ରହିଥିବା ନେଇ ମଧ୍ୟ ସୂଚନା ଦିଆଯାଇଥିଲା। ଏ ସମ୍ପର୍କିତ ସୂଚନା ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବନାଞ୍ଚଳ ଅଧିକାରୀ ଅନୁରୋଧ କରିଥିଲେ।
କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଭକ୍ତଚରଣ ସାହୁ, ପ୍ରତାପ ରାଉତରାୟ, ହେମେଶ ଜେନା, ହେମନ୍ତ ଦାସ, ମହେଶ୍ୱର ରାଉତ, ଅଜିତ ମିଶ୍ର, ସୁଶାନ୍ତ ନାୟକ ଓ ସୁରେନ୍ଦ୍ର ସାମଲଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
