କେନ୍ଦୁଝର (ଓଡ଼ିଶ୍ରୀ ସମ୍ବାଦ): କେନ୍ଦୁଝର ସହରର କଲେଜ ରୋଡସ୍ଥିତ ବଣିଆପାଟ ଶିଶୁମନ୍ଦିରରେ ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।
ବିଦ୍ୟାଳୟର ବୌଦ୍ଧିକ ମଣ୍ଡପରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଗୁରୁଜୀ ଓ ଗୁରୁମାମାନେ ଉପସ୍ଥିତ ରହି ମହାପୁରୁଷ ଦ୍ୱୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଭାଗୀରଥି ଗିରି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀର ମହତ୍ତ୍ୱ ସମ୍ପର୍କରେ ଅଭିଭାଷଣ ରଖିଥିଲେ। ପରିଚାଳନା ସମିତିର ସଦସ୍ୟା ମନ୍ଦାକିନୀ ବେହେରା ଗାନ୍ଧୀଜୀଙ୍କ ଜୀବନ ଓ ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ।
ସଭାରେ ତୃତୀୟ, ଚତୁର୍ଥ, ପଞ୍ଚମ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଇତିସ୍ମିତା ନାୟକ, ଅନୁପ ମହାନ୍ତ, ପି.ଏସ୍. ସ୍ଥିତିପ୍ରଜ୍ଞା, ଦିବ୍ୟଦତ୍ତ ଜେନା, ବିଶ୍ୱଜିତ ନାଏକ ଓ ଜ୍ଞାନେନ୍ଦ୍ର ସାହୁ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୀବନ ଓ ଆଦର୍ଶ ସମ୍ପର୍କରେ ନିଜର ମତ ରଖିଥିଲେ।
ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଚତୁର୍ଭୁଜ ନାୟକ ମହାପୁରୁଷ ଦ୍ୱୟଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଦୀନବନ୍ଧୁ ମହାକୁଡ଼ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସେ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ।
ଏହି ଅବସରରେ ଗାନ୍ଧୀ ଜୟନ୍ତୀ ଦିନ ଜନ୍ମଗ୍ରହଣ କରିଥିବା ପ୍ରଭାତ ଶ୍ରେଣୀର ଶିଶୁ ଦେବପ୍ରସାଦ ସେଠୀ ଓ ତୃତୀୟ ଶ୍ରେଣୀର ଛାତ୍ରୀ ଗାୟତ୍ରୀ ମହାନ୍ତଙ୍କ ଜନ୍ମଦିନ ପାଳନ କରାଯାଇଥିଲା। ସେମାନଙ୍କ ଦୀର୍ଘାୟୁ ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଉପସ୍ଥିତ ସମସ୍ତେ ଶୁଭକାମନା ଜଣାଇଥିଲେ।
ବରିଷ୍ଠ ଆଚାର୍ଯ୍ୟ ସଚ୍ଚିକାନ୍ତ ମହାରଣା ଓ ବିଦ୍ୟୁତ ପ୍ରଭା ସାହୁଙ୍କ ମାର୍ଗଦର୍ଶନରେ ଚତୁର୍ଥ ଶ୍ରେଣୀର ନନ୍ଦିନୀ ଜେନା ଓ ପଞ୍ଚମ ଶ୍ରେଣୀର ସେବତୀ ମହାନ୍ତ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ବିଦ୍ୟାଳୟର ଆଚାର୍ଯ୍ୟ ସୁବାସ ଚନ୍ଦ୍ର ଭୁଁଇଁଆ ଧନ୍ୟବାଦ ଅର୍ପଣ କରିଥିଲେ।
