ଫୁଲବାଣୀ, (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍ ଥାନା ପୁଲିସ ଏକ ହତ୍ୟା ମାମଲାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୃତକ ଅଶୋକ ସାହୁଙ୍କ ହତ୍ୟା ଅଭିଯୋଗରେ ତାଙ୍କ ଭାଇ ଅରୁଣ କୁମାର ସାହୁ ଓରଫ ମିଟୁ (୩୭)ଙ୍କୁ ପୁଲିସ ଗିରଫ କରିଛି।
ପୁଲିସ ସୂଚନା ଅନୁଯାୟୀ, ଫୁଲବାଣୀ ଟାଉନ୍ ଥାନା ଅଧୀନ ପ୍ରଗତି ମାର୍ଗ ଅଞ୍ଚଳର ‘ସ୍ମିତା ଭବନ’ର ଏକ ଭଡ଼ା ଘରୁ ଅଶୋକ ସାହୁଙ୍କ ମୃତଦେହ ମିଳିଥିଲା। ମୃତଦେହ ପଚିଯାଇଥିବା ଏବଂ ଦୁର୍ଗନ୍ଧ ବାହାରୁଥିବାରୁ ପୁଲିସ ଘଟଣାକୁ ସନ୍ଦେହଜନକ ଭାବେ ନେଇ ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, ଅଶୋକ ଓ ଅରୁଣ ଦୁଇ ଭାଇ। ଫୁଲବାଣୀ ଧୂପାସାହି ନିକଟରେ ମୃତ ପିତା ଭାସ୍କର ସାହୁଙ୍କ ନାମରେ ଥିବା ପ୍ରାୟ ୬ ସେଣ୍ଟ ଜମି ବିକ୍ରିକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ରହିଥିବା ପୁଲିସ କହିଛି।
ପୁଲିସ ପ୍ରେସ୍ ନୋଟ୍ ଅନୁଯାୟୀ, ସେପ୍ଟେମ୍ବର ୨୬ ତାରିଖ ରାତିରେ ଅଶୋକ ଘରକୁ ଆସି ଜମିର ନିଜ ଭାଗ ବିକ୍ରି କରି ଟଙ୍କା ନେବା ପାଇଁ କହିଥିଲେ। ଏହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ସମୟରେ ଅରୁଣ କାଠ ବାଡ଼ିରେ ଅଶୋକଙ୍କ ମୁଣ୍ଡକୁ ଆଘାତ କରିଥିବା ଏବଂ ଏଥିରେ ତାଙ୍କ ମୃତ୍ୟୁ ଘଟିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଥିବା କହିଛି।
ଘଟଣା ପରେ ଅଭିଯୁକ୍ତ ସେଠାରୁ ଚାଲିଯାଇଥିବା ପୁଲିସ କହିଛି। ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ କାଠ ବାଡ଼ି ଜବତ କରାଯାଇଛି। ଫୁଲବାଣୀ ଟାଉନ୍ ଥାନାରେ କେସ୍ ନଂ ୨୮୧, ତାରିଖ ୨/୧୦/୨୦୨୬ରେ ବିଏନ୍ଏସ୍ ଧାରା ୧୦୩(୧)ରେ ମାମଲା ରୁଜୁ ହୋଇଛି।
ଅଭିଯୁକ୍ତଙ୍କ ବିରୋଧରେ ପ୍ରାଥମିକ ତଦନ୍ତରେ ମାମଲାରେ ସମ୍ପୃକ୍ତିର ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରି ନ୍ୟାୟିକ ହାଜତକୁ ପଠାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତଙ୍କର ପୂର୍ବରୁ କୌଣସି ଅପରାଧିକ ମାମଲା ନଥିବା ମଧ୍ୟ ପ୍ରେସ୍ ନୋଟ୍ରେ ଉଲ୍ଲେଖ ରହିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
