ବାଲିଗୁଡ଼ା, (ଓଡ଼ିଶ୍ରୀ ସମ୍ବାଦ): ଗରିବ ଓ ଅସହାୟ ପରିବାରକୁ ପକ୍କା ଘର ଯୋଗାଇଦେବା ଉଦ୍ଦେଶ୍ୟରେ ସରକାର ଆବାସ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ତେବେ ଯୋଗ୍ୟ ହିତାଧିକାରୀଙ୍କ ନାଁ ପ୍ରଥମ ତାଲିକାରେ ସ୍ଥାନ ପାଇବା ପରେ ପରବର୍ତ୍ତୀ ସମୟରେ ତାଲିକାରୁ ବାଦ ପଡ଼ିବାକୁ ନେଇ ପ୍ରଶ୍ନ ଉଠିଛି। ଏଭଳି ଅଭିଯୋଗ ଆସିଛି ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳରୁ।
ବ୍ରାହ୍ମଣୀଗାଁ ଅଞ୍ଚଳର କୁମ୍ଭାରୀଗାଁ ଗ୍ରାମ ପଞ୍ଚାୟତ ଅଧୀନ ଓଡ଼ିଆସାହିର ଲକ୍ଷ୍ମୀ ବେହେର୍ଦ୍ଦଳାଇ (୪୦)ଙ୍କ ସ୍ୱାମୀ ଟୁନା ବେହେର୍ଦ୍ଦଳାଇଙ୍କ ନାଁ ଆବାସ ଯୋଜନାର ପ୍ରଥମ ତାଲିକାରେ ଥିଲା। ହେଲେ ପରବର୍ତ୍ତୀ ସମୟରେ ତାଙ୍କ ନାଁ ତାଲିକାରୁ ବାଦ ପଡ଼ିଥିବାରୁ ପରିବାର ଚିନ୍ତାରେ ରହିଛି।
ନିଜସ୍ୱ ପକ୍କା ଘର ନିର୍ମାଣ କରିବା ପାଇଁ ଆର୍ଥିକ ସାମର୍ଥ୍ୟ ନଥିବାରୁ ସରକାରୀ ଆବାସ ଘରକୁ ଭରସା କରିଥିବା ଏହି ପରିବାର ଏବେ ଅନିଶ୍ଚିତତାରେ ଥିବା ଲକ୍ଷ୍ମୀ କହିଛନ୍ତି।
ଏନେଇ ଲକ୍ଷ୍ମୀ ପ୍ରଥମେ ଗ୍ରାମ ପଞ୍ଚାୟତର ଅଭିଯୋଗ ବାକ୍ସରେ ଲିଖିତ ଅଭିଯୋଗ କରିଥିଲେ। ସେଠାରୁ କୌଣସି ସୁଫଳ ନମିଳିବାରୁ ଗତ ଅଗଷ୍ଟ ୧୭ ତାରିଖରେ ଦାରିଙ୍ଗବାଡ଼ି ବିଡିଓଙ୍କ ନିକଟରେ ମଧ୍ୟ ଲିଖିତ ଅଭିଯୋଗ କରିଥିବା ସେ କହିଛନ୍ତି।
ଅଭିଯୋଗ ପରେ ବିଡିଓ ତାଙ୍କ ଗାଁକୁ ଯାଇ ଘଟଣାର ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଲକ୍ଷ୍ମୀ ପ୍ରକାଶ କରିଛନ୍ତି। ତେବେ ଅଭିଯୋଗ ଦେବାର ପ୍ରାୟ ଦୁଇ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଅଧିକାରୀ ଗାଁକୁ ଯାଇ ତଦନ୍ତ କରିନଥିବା କିମ୍ବା ତାଙ୍କୁ ଏ ସମ୍ପର୍କରେ କୌଣସି ସୂଚନା ଦେଇନଥିବା ସେ ଅଭିଯୋଗ କରିଛନ୍ତି।
ଆବାସ ଯୋଜନାର ପ୍ରଥମ ତାଲିକାରେ ନାଁ ଥିବା ସତ୍ତ୍ୱେ ପରେ ତାଲିକାରୁ ବାଦ ପଡ଼ିବାର କାରଣ କ’ଣ, ତାହାକୁ ନେଇ ପରିବାର ପକ୍ଷରୁ ପ୍ରଶ୍ନ ଉଠାଯାଇଛି। ଯଦି ପରିବାର ଯୋଗ୍ୟ ନୁହେଁ, ତେବେ ପ୍ରଥମ ତାଲିକାରେ ନାଁ କିପରି ଆସିଥିଲା ଏବଂ ଯଦି ଯୋଗ୍ୟ, ତେବେ ପରେ କାହିଁକି ବାଦ ପଡ଼ିଲା ବୋଲି ହିତାଧିକାରୀ ପ୍ରଶ୍ନ କରିଛନ୍ତି।
ଅନ୍ୟପକ୍ଷରେ, ଆବାସ ଯୋଜନାର ଦ୍ୱିତୀୟ ତାଲିକା କେବେ ପ୍ରକାଶ ପାଇବ ଏବଂ ପୂର୍ବ ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କ ନାଁ ପୁଣି ସାମିଲ ହେବ କି ନାହିଁ, ସେନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି।
ଲକ୍ଷ୍ମୀଙ୍କ ଅଭିଯୋଗର ତଦନ୍ତ କରାଯାଇ ତାଙ୍କ ପରିବାରର ଯୋଗ୍ୟତା ଅନୁଯାୟୀ ଆବାସ ଯୋଜନାରେ ସାମିଲ କରାଯାଉ ବୋଲି ସେ ଦାବି କରିଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ଆବାସ ଯୋଜନାର ପରବର୍ତ୍ତୀ ତାଲିକା ଏବଂ ନିଜ ଅଭିଯୋଗର ସମାଧାନକୁ ଅପେକ୍ଷା କରିଛନ୍ତି ହିତାଧିକାରୀ।
