• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ସ୍ୱାଧୀନତାର ୮୦ ବର୍ଷ ପରେ ବି ବିକାଶରୁ ବଞ୍ଚିତ ଡୁବୁରୀ ଗାଁ

Byodishri Live

Oct 9, 2026

ପାନୀୟ ଜଳ, ରାସ୍ତା, ବିଦ୍ୟୁତ୍ ଓ ଆବାସ ସାତ ସପନ; ପ୍ରଶାସନର ହସ୍ତକ୍ଷେପ ଦାବି

ବାଲିଗୁଡ଼ା, (ଓଡ଼ିଶ୍ରୀ ସମ୍ବାଦ): ଦେଶ ସ୍ୱାଧୀନ ହେବାର ଦୀର୍ଘ ୮୦ ବର୍ଷ ପରେ ମଧ୍ୟ ଦୁର୍ଗମ ଅଞ୍ଚଳରେ ବିକାଶର ଚିତ୍ର ଅସମ୍ପୂର୍ଣ୍ଣ ରହିଛି। ଏହାର ଏକ ଉଦାହରଣ ହେଉଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ତାଜୁଙ୍ଗି ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଡୁବୁରୀ ଗାଁ। ଗାଁର ପ୍ରାୟ ୩୦ଟି ପରିବାର ଏବେ ବି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଦୁର୍ଦ୍ଦଶାରେ ଜୀବନ ବିତାଉଥିବା ଅଭିଯୋଗ ହୋଇଛି।

ସରକାରଙ୍କ ପକ୍ଷରୁ ଜଳ ଜୀବନ ମିଶନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଦ୍ୟୁତୀକରଣ ଓ ଗ୍ରାମୀଣ ସଡ଼କ ନିର୍ମାଣ ଭଳି ବିଭିନ୍ନ ଯୋଜନା ଚାଲୁଥିବା ସତ୍ତ୍ୱେ ଡୁବୁରୀ ଗ୍ରାମବାସୀଙ୍କ ନିକଟରେ ଏହାର ସୁଫଳ ପହଞ୍ଚି ନଥିବା କୁହାଯାଉଛି।

ଗାଁରେ ପାନୀୟ ଜଳର ସ୍ଥାୟୀ ବ୍ୟବସ୍ଥା ନଥିବାରୁ ଲୋକମାନେ ନଦୀ ଓ ଝରଣା ପାଣି ଉପରେ ନିର୍ଭର କରୁଛନ୍ତି। ନଳକୂପ ନଥିବା କିମ୍ବା ଅଚଳ ରହିଥିବା ଯୋଗୁଁ ଦୈନନ୍ଦିନ ଜଳ ସଂଗ୍ରହ ସେମାନଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ସେହିପରି ଗାଁକୁ ସଂଯୋଗ କରୁଥିବା ଭଲ ରାସ୍ତା ନଥିବାରୁ ବର୍ଷା ଦିନେ କାଦୁଅ ଓ ପିଚ୍ଛିଳ ରାସ୍ତାରେ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ୁଛି।

ଗ୍ରାମରେ ବିଦ୍ୟୁତ୍ ସଂଯୋଗ ନଥିବା ଏବଂ ଅନେକ ପରିବାର ଏବେ ବି ଚାଳଛପର ଓ ମାଟି ଘରେ ରହୁଥିବା ଅଭିଯୋଗ ହୋଇଛି। ଆବାସ ଯୋଜନାରୁ ଅନେକ ପରିବାର ବଞ୍ଚିତ ଥିବାବେଳେ ସ୍ୱାସ୍ଥ୍ୟ ଓ ଶିକ୍ଷା ସେବା ପାଇବାରେ ମଧ୍ୟ ସେମାନଙ୍କୁ ଅସୁବିଧା ହେଉଛି।

ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଏହି ଗାଁରେ ଜରୁରୀ ପରିସ୍ଥିତିରେ ସମସ୍ୟା ଆହୁରି ଗମ୍ଭୀର ହୋଇପଡ଼ୁଛି। ରୋଗୀ, ଗର୍ଭବତୀ ମହିଳା କିମ୍ବା ପ୍ରସୂତିଙ୍କୁ ଡାକ୍ତରଖାନା ନେବାରେ ଯାତାୟାତ ବାଧକ ସାଜୁଛି। ରାସ୍ତାର ଅଭାବ ଯୋଗୁଁ ଆମ୍ବୁଲାନ୍ସ ଗାଁରେ ପହଞ୍ଚିବା କଷ୍ଟକର ହେଉଥିବାରୁ କେତେକ ସମୟରେ ରୋଗୀଙ୍କୁ ଖଟିଆରେ ବୋହି ନେବାକୁ ପଡ଼ୁଥିବା କୁହାଯାଉଛି।

ଏଭଳି ସ୍ଥିତିରେ ଡୁବୁରୀ ଗାଁର ୩୦ଟି ପରିବାରଙ୍କ ସମସ୍ୟା ପ୍ରତି ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି। ପ୍ରଶାସନିକ ଅଧିକାରୀମାନେ ଗାଁକୁ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ପାନୀୟ ଜଳ, ରାସ୍ତା, ବିଦ୍ୟୁତ୍ ଓ ଆବାସ ଭଳି ମୌଳିକ ସୁବିଧା ଯୋଗାଇଦେବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି।

ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ ସରକାରୀ ଯୋଜନା ଓ ବିକାଶର ସୁଫଳ ପହଞ୍ଚିଲେ ହିଁ ପ୍ରକୃତ ବିକାଶର ଲକ୍ଷ୍ୟ ସାର୍ଥକ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *