ଅକ୍ଟୋବର ୧୪ରେ ଭୁବନେଶ୍ୱରରେ ବିଶାଳ ବୌଦ୍ଧ ଦୀକ୍ଷା ସମାରୋହ, ପ୍ରସ୍ତୁତି ନେଇ ସାମ୍ବାଦିକ ସମ୍ମିଳନୀ
କେନ୍ଦୁଝର, ୯/୧୦ (ଓଡ଼ିଶ୍ରୀ ସମ୍ବାଦ): ରାଷ୍ଟ୍ରୀୟ ବୌଦ୍ଧ ମହାସଭାର ୨୦ତମ ପ୍ରତିଷ୍ଠା ଦିବସ ଅବସରରେ ଆସନ୍ତା ଅକ୍ଟୋବର ୧୪ ତାରିଖରେ ଭୁବନେଶ୍ୱରର ଖାରବେଳ ନଗରଠାରେ ଏକ ବିଶାଳ ବୌଦ୍ଧ ଦୀକ୍ଷା ସମାରୋହ ଆୟୋଜନ କରାଯିବ। ଏହି ସମାରୋହରେ ଦେଶର ବିଭିନ୍ନ ପ୍ରଦେଶ ସହ ଓଡ଼ିଶାର ସମସ୍ତ ଜିଲ୍ଲାରୁ ପ୍ରତିନିଧିମାନେ ଯୋଗଦେବେ। ଏହି ଆୟୋଜନର ପ୍ରଚାରପ୍ରସାର ଓ ପ୍ରସ୍ତୁତି ସମ୍ପର୍କରେ ରାଷ୍ଟ୍ରୀୟ ବୌଦ୍ଧ ମହାସଭା ପକ୍ଷରୁ କେନ୍ଦୁଝରଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
ସମାରୋହରେ ବୌଦ୍ଧ ଧର୍ମରେ ଦୀକ୍ଷା ପ୍ରଦାନ ପାଇଁ ପ୍ରାୟ ୫୦ ଜଣ ଭିକ୍ଷୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରୀୟ ବୌଦ୍ଧ ମହାସଭାର ସଂସ୍ଥାପକ ଧର୍ମ ପ୍ରକାଶ ଭାରତୀ ବୌଦ୍ଧ ଏବଂ ରାଷ୍ଟ୍ରୀୟ ସଭାପତି ବି. ଏସ୍. ବୌଦ୍ଧ ଏହି ସମାରୋହରେ ଉଦ୍ବୋଧନ ଦେବେ ବୋଲି ସୂଚନା ଦିଆଯାଇଛି।
ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଧର୍ମର ଐତିହାସିକ ଓ ମାନବିକ ମୂଲ୍ୟବୋଧ ଉପରେ ଆଲୋକପାତ କରାଯାଇଥିଲା। ଓଡ଼ିଶାରେ ପ୍ରାଚୀନ କାଳରୁ ବୌଦ୍ଧ ଧର୍ମର ପ୍ରଚାରପ୍ରସାର ହୋଇଆସିଛି। ଲଳିତଗିରି, ରତ୍ନଗିରି ଓ ଉଦୟଗିରିରେ ଥିବା ବୌଦ୍ଧ ମୂର୍ତ୍ତି, ମନ୍ଦିର ଓ ପ୍ରାଚୀନ ଅବଶେଷ ଏହାର ସାକ୍ଷ୍ୟ ବହନ କରୁଛି। କଳିଙ୍ଗ ଯୁଦ୍ଧ ପରେ ସମ୍ରାଟ ଅଶୋକଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ଓ ବୌଦ୍ଧ ଧର୍ମର ପ୍ରସାର ମଧ୍ୟ ଆଲୋଚନାର ବିଷୟ ହୋଇଥିଲା।
ବୌଦ୍ଧ ଧର୍ମ ସମାନତା, ଶାନ୍ତି ଓ ମାନବିକତାର ବାର୍ତ୍ତା ଦେଇଥାଏ। ଏହି ଧର୍ମରେ ମନୁଷ୍ୟ ମଧ୍ୟରେ ଭେଦଭାବକୁ ସ୍ଥାନ ଦିଆଯାଏ ନାହିଁ ଏବଂ ପ୍ରତ୍ୟେକ ମଣିଷର ଆଧ୍ୟାତ୍ମିକ ଉନ୍ନତିର ସମ୍ଭାବନା ରହିଛି। ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ବାବାସାହେବ ଡ. ବି. ଆର୍. ଆମ୍ବେଦକର ୧୯୫୬ ମସିହା ଅକ୍ଟୋବର ୧୪ ତାରିଖରେ ନିଜ ଅନୁଗାମୀମାନଙ୍କ ସହ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ବୋଲି ବକ୍ତାମାନେ ଉଲ୍ଲେଖ କରିଥିଲେ।
ଏହି ଦୀକ୍ଷା ସମାରୋହରେ କେନ୍ଦୁଝର ଜିଲ୍ଲାରୁ ଅଧିକରୁ ଅଧିକ ପ୍ରତିନିଧିଙ୍କ ଯୋଗଦାନ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା କମିଟି ପକ୍ଷରୁ ବିଭିନ୍ନ ଗ୍ରାମରେ ପ୍ରଚାରପତ୍ର ବଣ୍ଟନ କରାଯାଇଛି। ସମାରୋହ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଓ ଅଧିକ ଜନସମ୍ପୃକ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା।
ଏଥିରେ ରାଷ୍ଟ୍ରୀୟ ବୌଦ୍ଧ ମହାସଭାର ପ୍ରଦେଶ ଉପଦେଷ୍ଟା କୁମରମଣି ତନ୍ତୀ, ଜିଲ୍ଲା ସଭାପତି ନିରୋଦ ଚନ୍ଦ୍ର ବେହେରା, ସମ୍ପାଦକ ସୋମନାଥ ଜେନା ଓ ଉପସଭାପତି ବିଚିତ୍ର ପାତ୍ର ଆଲୋଚନା କରିଥିଲେ। ସହସମ୍ପାଦକ ପଞ୍ଚାନନ ସେଠୀ, ସରୋଜ ମୁଖୀ, ପବିତ୍ର ପାତ୍ର, ହରେକୃଷ୍ଣ ବେଜ, ମାୟାଧର ପାତ୍ର ଓ ବାବାଜୀ ଚରଣ ପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
