• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ, ମଇଦାନରେ ୩୧ ପ୍ରାର୍ଥୀ

Byodishri Live

Oct 11, 2026

୪୬ ବର୍ଷ ପରେ ନିର୍ବାଚନକୁ ନେଇ କ୍ୟାମ୍ପସରେ ଉତ୍ସାହ, ୧୫ରେ ମତଦାନ ଓ ୧୬ରେ ଶପଥ ଗ୍ରହଣ

ବାଲିଗୁଡ଼ା, (ଓଡ଼ିଶ୍ରୀ ସମ୍ବାଦ): ଦୀର୍ଘ ୪୬ ବର୍ଷର ବ୍ୟବଧାନ ପରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ସାହ ବଢ଼ିଛି। ବିଭିନ୍ନ ପଦବି ପାଇଁ ନାମାଙ୍କନ ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ମୋଟ ୩୧ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ଥିବାବେଳେ ଆସନ୍ତା ୧୫ ତାରିଖରେ ମତଦାନ ହେବ।

ପ୍ରକାଶିତ ତାଲିକା ଅନୁଯାୟୀ, ସଭାପତି ପଦ ପାଇଁ ୭ ଜଣ, ଉପସଭାପତି ପଦ ପାଇଁ ୪ ଜଣ, ସାଧାରଣ ସମ୍ପାଦକ ପଦ ପାଇଁ ୪ ଜଣ, ସହସମ୍ପାଦକ ପଦ ପାଇଁ ୩ ଜଣ, ଡିଏସ୍‌ଏ ସମ୍ପାଦକ ପଦ ପାଇଁ ୩ ଜଣ, ଡିଏସ୍‌ଏ ସହସମ୍ପାଦକ ପଦ ପାଇଁ ୩ ଜଣ, କ୍ରୀଡ଼ା ସମ୍ପାଦକ ପଦ ପାଇଁ ୪ ଜଣ ଏବଂ କ୍ରୀଡ଼ା ସହସମ୍ପାଦକ ପଦ ପାଇଁ ୩ ଜଣ ପ୍ରାର୍ଥୀ ରହିଛନ୍ତି।

ସଭାପତି ପଦ ପାଇଁ ଜ୍ଞାନଦେବ ଉଠାଣସିଂ, ଶିବଶଙ୍କର ପ୍ରଧାନ, ଭେନୁସ କୁମାର ପ୍ରଧାନ, ସଂକେତ ନାୟକ, ଅଲିଭା ଦିଗଲ, ଶ୍ରୀଧର ସିଅ ଓ ଏଲୋନ ନାୟକ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସାଧାରଣ ସମ୍ପାଦକ ପଦ ପାଇଁ ଅଭୟ ପାଟମାଝି, ଦୀପକ କୁମାର ପାତ୍ର, ଆୟୁଷ କୁମାର ଦାସ ଓ ଏଲିୟ ନାୟକ ପ୍ରାର୍ଥୀ ହୋଇଛନ୍ତି।

ସହସମ୍ପାଦକ ପଦ ପାଇଁ ଅଂଶୁମାନ ବେହେରା, ସମରେନ୍ଦ୍ର ପ୍ରଧାନ ଓ ଏଲିଆଶ ମଲ୍ଲିକ ନିର୍ବାଚନ ଲଢ଼ୁଛନ୍ତି। ଡିଏସ୍‌ଏ ସମ୍ପାଦକ ପଦ ପାଇଁ ରାକେଶ ବେହେରା, ଶୁଭ୍ର ଶୋଭିତ ନାୟକ ଓ ଇତି ନାୟକ ରହିଛନ୍ତି। ଡିଏସ୍‌ଏ ସହସମ୍ପାଦକ ପଦ ପାଇଁ ପ୍ରିୟଙ୍କା ପଟ୍ଟନାୟକ, ବିଜୟ କହଁର ଓ ଅମ୍ଳାନ ନାୟକ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ସେହିପରି କ୍ରୀଡ଼ା ସମ୍ପାଦକ ପଦ ପାଇଁ ଇଶାକ ନାୟକ, ଶିବୁ ମଝିଆସେଠ, ଏସ୍‌. ଶୁଭଶ୍ରୀ ପାତ୍ର ଓ ତୁଷାର ପାତ୍ର ମଇଦାନରେ ଅଛନ୍ତି। କ୍ରୀଡ଼ା ସହସମ୍ପାଦକ ପଦ ପାଇଁ ଏଞ୍ଜେଲ ନାୟକ, ରାମ ମଲ୍ଲିକ ଓ ସୌମ୍ୟରଞ୍ଜନ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି।

ନିର୍ବାଚନ ପ୍ରକ୍ରିୟାକୁ ଶୃଙ୍ଖଳିତ ଓ ଅବାଧ ରଖିବା ପାଇଁ କଲେଜ କର୍ତ୍ତୃପକ୍ଷ ପ୍ରସ୍ତୁତି କରିଥିବାବେଳେ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲିଙ୍ଗଡୋ କମିଶନଙ୍କ ନିୟମାବଳୀ ପାଳନ କରିବାକୁ ପ୍ରଶାସନ ଓ ଛାତ୍ର ସଂଗଠନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

କଲେଜ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ସହ ପ୍ରଚାର ଆରମ୍ଭ କରିବେ। ଅକ୍ଟୋବର ୧୪ ତାରିଖରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ କାର୍ଯ୍ୟକ୍ରମ ଆୟୋଜିତ ହେବ। ୧୫ ତାରିଖରେ ମତଦାନ ଏବଂ ୧୬ ତାରିଖରେ ବିଜୟୀ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି।

ନିର୍ବାଚନ ଅଧିକାରୀ ଭାବେ ଅଧ୍ୟାପକ ତେଜେଶ୍ୱର ନାୟକ ଦାୟିତ୍ୱ ତୁଲାଉଥିବାବେଳେ ସହନିର୍ବାଚନ ଅଧିକାରୀ ଭାବେ ଅଧ୍ୟାପକ ସରୋଜ ପାଠୀ ଓ ଅଧ୍ୟାପକ ହିମାଂଶୁ ଶେଖର ସାହୁ ଦାୟିତ୍ୱରେ ଅଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *