ବଲାଙ୍ଗୀର/ମୁରିବାହାଲ (ଓଡ଼ିଶ୍ରୀ ସମ୍ବାଦ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ହଳଦୀ ଗ୍ରାମ ପଞ୍ଚାୟତରେ ଥିବା ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ରର ପରିମଳ ବ୍ୟବସ୍ଥାକୁ ନେଇ ଅଭିଯୋଗ ଉଠିଛି। କେନ୍ଦ୍ର ପରିସରରେ ଅଳିଆ ଆବର୍ଜନା ଜମି ରହିବା ସହ ଶୌଚାଳୟ ନିକଟରେ ଦୁର୍ଗନ୍ଧ ହେଉଥିବାରୁ ସ୍ଥାନୀୟ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି।
ସ୍ଥାନୀୟ ଲୋକ ଓ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଶୌଚାଳୟ ଚାରିପାଖରେ ନିୟମିତ ସଫେଇ କରାଯାଉନାହିଁ। ଏଥିସହ କେନ୍ଦ୍ର ପରିସରରେ ଅନାବନା ଘାସ ଓ ଆବର୍ଜନା ଜମି ରହିଥିବାରୁ ପରିବେଶ ଅସ୍ୱାସ୍ଥ୍ୟକର ହୋଇପଡ଼ିଛି। ଫଳରେ ଶୌଚାଳୟ ବ୍ୟବହାର କରିବାକୁ ଆସୁଥିବା ଲୋକ, ବିଶେଷକରି ମହିଳାମାନେ, ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି।
ସେବା କେନ୍ଦ୍ରର ସଫେଇ ଓ ରକ୍ଷଣାବେକ୍ଷଣ ପାଇଁ ବ୍ୟବସ୍ଥା ଥିବା ସତ୍ତ୍ୱେ ନିୟମିତ ସଫେଇ କାହିଁକି କରାଯାଉନାହିଁ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।
ତେଣୁ ସମ୍ପୃକ୍ତ କର୍ତ୍ତୃପକ୍ଷ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ସେବା କେନ୍ଦ୍ରର ଶୌଚାଳୟ ଓ ପରିସରକୁ ନିୟମିତ ସଫେଇ କରିବା ସହ ଉପଯୁକ୍ତ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରନ୍ତୁ ବୋଲି ଦାବି ହୋଇଛି।
