ବାରିପଦା, (ଓଡ଼ିଶ୍ରୀ ସମ୍ବାଦ): ବେଆଇନ ଦେଶୀ ମଦ କାରବାର ଉପରେ ଅଙ୍କୁଶ ଲଗାଇବାକୁ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ଚାଲିଥିବା ବେଆଇନ ମଦ ଭାଟି ଉପରେ ମିଳିତ ଚଢ଼ାଉ କରି ୧୩ ହଜାର ୫୦୦ କେଜି ମହୁଲ ପୋଚ ନଷ୍ଟ କରିବା ସହ ୧,୧୫୦ ଲିଟର ଦେଶୀ ମଦ ଜବତ କରିଛି ବିଭାଗ। ଏଥିସହ ମଦ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।
ମୋରଡ଼ା ଅବକାରୀ ଅଧିକାରୀ ଦୀପକ କୁମାର ରାଉତଙ୍କ ସୂଚନା ଅନୁଯାୟୀ, ମୋରଡ଼ା ଅବକାରୀ ବିଭାଗ ସମେତ ଏପିଆର ଫୋର୍ସ, ସଦର ଅବକାରୀ ବିଭାଗ, ମୋବାଇଲ ଇନ୍ସପେକ୍ଟର, କୁଳିଅଣା ଓ ଦେଉଳି ଅବକାରୀ ବିଭାଗର ମିଳିତ ସହଯୋଗରେ ଏହି ଚଢ଼ାଉ କରାଯାଇଥିଲା। ମୋରଡ଼ା ବ୍ଲକର ଭାଲୁକଚୁଆ ଓ ହାଣ୍ଡିଭଙ୍ଗା ଅଞ୍ଚଳରେ ଚାଲିଥିବା ବେଆଇନ ମଦ ଭାଟିଗୁଡ଼ିକୁ ଟାର୍ଗେଟ କରି ଏହି ଅଭିଯାନ ଚଳାଇଥିଲା ଅବକାରୀ ଟିମ୍।
ଚଢ଼ାଉ ସମୟରେ ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ କରାଯିବା ସହ ପ୍ରସ୍ତୁତ ଦେଶୀ ମଦ ଓ ମଦ ତିଆରି ସାମଗ୍ରୀ ଜବତ ହୋଇଥିଲା। ତେବେ ଏହି ଚଢ଼ାଉରେ କୌଣସି ଅଭିଯୁକ୍ତ ଗିରଫ ହୋଇନାହାନ୍ତି। ଅବକାରୀ ଟିମ୍ ପହଞ୍ଚିବା ପୂର୍ବରୁ ମଦ ପ୍ରସ୍ତୁତି ଓ ବେପାରରେ ସମ୍ପୃକ୍ତ ବ୍ୟକ୍ତିମାନେ ଘଟଣାସ୍ଥଳରୁ ଖସି ପଳାଇଥିବା ଜଣାପଡ଼ିଛି।
ବିପୁଳ ପରିମାଣର ମହୁଲ ପୋଚ ଓ ମଦ ଜବତ ହୋଇଥିଲେ ମଧ୍ୟ କାହାରିକୁ ଗିରଫ କରାଯାଇ ନପାରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ବେଆଇନ ମଦ କାରବାରର ମୂଳ ପର୍ଯ୍ୟନ୍ତ ପହଞ୍ଚିବା ସହ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଚିହ୍ନଟ କରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଆବଶ୍ୟକ ବୋଲି ସ୍ଥାନୀୟ ମହଲରେ ମତ ପ୍ରକାଶ ପାଇଛି।
