• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

୧୦ ଲକ୍ଷ ଟଙ୍କାର ସ୍କୁଲ ଉନ୍ନୟନ କାମକୁ ନେଇ ବିବାଦ, SMC ନିଷ୍ପତ୍ତିକୁ ଅଣଦେଖା ଅଭିଯୋଗ

Byodishri Live

Oct 31, 2026

ସଭାପତିଙ୍କ ମନମାନିକୁ ନେଇ ଅସନ୍ତୋଷ, ନିର୍ମାଣ କାର୍ଯ୍ୟର ମାନ ଓ ସ୍ୱଚ୍ଛତା ଉପରେ ଉଠିଲା ପ୍ରଶ୍ନ

ବାଲିଆପାଳ, (ଓଡ଼ିଶ୍ରୀ ସମ୍ବାଦ): ବିଦ୍ୟାଳୟର ଉନ୍ନତି ପାଇଁ ଆସିଛି ୧୦ ଲକ୍ଷ ଟଙ୍କାର ଅନୁଦାନ। ହେଲେ ଉନ୍ନୟନ କାର୍ଯ୍ୟ ଆରମ୍ଭରୁ ହିଁ ଦେଖାଦେଇଛି ବିବାଦ। ସ୍କୁଲ ପରିଚାଳନା କମିଟି (SMC)ର ନିଷ୍ପତ୍ତିକୁ ଅଣଦେଖା କରି ମନମୁଖୀ ଭାବେ ନିର୍ମାଣ କାର୍ଯ୍ୟ କରାଯାଉଥିବା ନେଇ ସଭାପତିଙ୍କ ବିରୋଧରେ ଉଠିଛି ଅଭିଯୋଗ। ଏହାକୁ ନେଇ ବିଦ୍ୟାଳୟ ପରିସରରେ ଅସନ୍ତୋଷ ସହ ଚାପା ଉତ୍ତେଜନା ପ୍ରକାଶ ପାଇଛି।

ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବାଲିକୁଟୀ ପଞ୍ଚାୟତ ଅନ୍ତର୍ଗତ ବାଲିକୁଟୀ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ।

ସୂଚନା ଅନୁଯାୟୀ, ବିଦ୍ୟାଳୟରେ ଘର ଓ ପାଚେରୀ ନିର୍ମାଣ ପାଇଁ ଅନୁଦାନ ଆସିବା ପରେ କାର୍ଯ୍ୟ କିପରି ଓ କେଉଁ ଢଙ୍ଗରେ କରାଯିବ, ସେନେଇ SMC ବୈଠକରେ ଆଲୋଚନା ହୋଇଥିଲା। ଏହି କାମ ପରିଚାଳନା କମିଟି ମାଧ୍ୟମରେ କରାଯିବ ବୋଲି ନିଷ୍ପତ୍ତି ମଧ୍ୟ ହୋଇଥିଲା। କିନ୍ତୁ ଏହି ନିଷ୍ପତ୍ତିକୁ ଅଣଦେଖା କରି ବିଦ୍ୟାଳୟ ପରିସରରେ ଦୀର୍ଘଦିନ ଧରି ରହିଥିବା ବାଗିଚାର ପାଚେରୀ ଭାଙ୍ଗି ସେହି ସ୍ଥାନରେ ଫଳକ ନିର୍ମାଣ କରାଯାଇଥିବା ନେଇ ସଭାପତି ରାଧାକାନ୍ତ ଦାସଙ୍କ ବିରୋଧରେ ଅଭିଯୋଗ ହୋଇଛି।

ଏହି ପ୍ରସଙ୍ଗକୁ ନେଇ ବିଦ୍ୟାଳୟରେ ପୁନର୍ବାର SMC ବୈଠକ ଡକାଯାଇଥିଲା। ବୈଠକରେ ଅଭିଭାବକ ଓ କିଛି କମିଟି ସଦସ୍ୟ ଫଳକ ନିର୍ମାଣ ଏବଂ ପାଚେରୀ ଭାଙ୍ଗିବା ସମ୍ପର୍କରେ ସଭାପତିଙ୍କୁ ପ୍ରଶ୍ନ କରିଥିଲେ। ଏହାକୁ ନେଇ ସଭାପତି ଉତ୍ତ୍ୟକ୍ତ ହୋଇ ‘ମୁଁ ସଭାପତି ରହିଛି, ଯାହା ଚାହିଁବି ତାହା ହିଁ କରାଯିବ’ ବୋଲି କହିଥିବା ଅଭିଯୋଗ ହୋଇଛି। ଏହାକୁ କେନ୍ଦ୍ର କରି ବୈଠକରେ ଅସନ୍ତୋଷ ବଢ଼ିବା ସହ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା।

ଅନ୍ୟପକ୍ଷରେ, ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଜେଇଙ୍କୁ ଫୋନ୍ ଯୋଗେ ପଚରାଯିବାରୁ ଏହି କାମ ପାଇଁ ଅନୁଦାନ ଆସିଥିବା ଏବଂ ଫଳକ ନିର୍ମାଣ ହେବା କଥା ସେ କହିଥିଲେ। ମାତ୍ର ଫଳକ ନିର୍ମାଣ ହୋଇସାରିଥିବା ସମ୍ପର୍କରେ ସେ ଅବଗତ ନଥିବା ସହ ଏହା ସରକାରୀ ନିୟମ ଅନୁଯାୟୀ ହୋଇନଥିବା କହିଥିବା ଅଭିଯୋଗକାରୀଙ୍କ ପକ୍ଷରୁ ଦାବି କରାଯାଇଛି।

ଏହି ଘଟଣା ପରେ ନିର୍ମାଣ କାର୍ଯ୍ୟର ସ୍ୱଚ୍ଛତା ଓ ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି। ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ନିର୍ମାଣ କାମ କରାଯିବା ସହ ସମସ୍ତ ଖର୍ଚ୍ଚ ଓ କାର୍ଯ୍ୟର ତଦାରଖ କରାଯାଉ ବୋଲି ଅଭିଭାବକମାନେ ଦାବି କରିଛନ୍ତି। ତେବେ ୧୦ ଲକ୍ଷ ଟଙ୍କାର ଏହି ଉନ୍ନୟନ ପ୍ରକଳ୍ପକୁ ନେଇ ଉଠିଥିବା ବିବାଦରେ ବିଭାଗୀୟ ଅଧିକାରୀ କି ପଦକ୍ଷେପ ନେଉଛନ୍ତି, ତାହା ଏବେ ଦେଖିବାକୁ ବାକି ରହିଲା।

Spread the love

Leave a Reply

Your email address will not be published. Required fields are marked *