ଟାଟା ପାୱାର ବିରୋଧରେ ନାରାବାଜି, ତହସିଲଦାରଙ୍କୁ ୯ ଦଫା ଦାବିପତ୍ର ପ୍ରଦାନ
ବଡ଼ଚଣା, (ଓଡ଼ିଶ୍ରୀ ସମ୍ବାଦ): ଟାଟା ପାୱାରର କ୍ରମାଗତ ବିଦ୍ୟୁତ୍ ବିଭ୍ରାଟ ଏବଂ ଠିକା କର୍ମଚାରୀଙ୍କ ଛଟେଇକୁ ବିରୋଧ କରି ଓଡ଼ିଶା ବିଦ୍ୟୁତ୍ ଉପଭୋକ୍ତା ଓ ଠିକା କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି।
ମିଳିତ ମଞ୍ଚର ଯାଜପୁର ଜିଲ୍ଲା ସଭାପତି ବିଶ୍ୱଜିତ ଭୋଳଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାରି ଦର୍ପଣ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ଶୋଭାଯାତ୍ରା ସମୟରେ ଆନ୍ଦୋଳନକାରୀମାନେ ଟାଟା ପାୱାର ବିରୋଧରେ ‘ଗୋ ବ୍ୟାକ୍’ ନାରା ଦେଇଥିଲେ। ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଉପଭୋକ୍ତା ଓ ଠିକା କର୍ମଚାରୀମାନେ କମ୍ପାନୀର କାର୍ଯ୍ୟଶୈଳୀକୁ ବିରୋଧ କରିଥିଲେ।
ଏହାପରେ ମିଳିତ ମଞ୍ଚ ପକ୍ଷରୁ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୯ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।
ଦାବିଗୁଡ଼ିକ ମଧ୍ୟରେ ଉପଭୋକ୍ତାଙ୍କୁ ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍ ବିଲ୍ ପ୍ରଦାନ ବନ୍ଦ କରିବା, ବିଲ୍ରେ ତ୍ରୁଟି ଥିଲେ ସମାଧାନ ପୂର୍ବରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ନକରିବା, ଲୋ-ଭୋଲ୍ଟେଜ୍ ସମସ୍ୟାର ସମାଧାନ ଏବଂ ପୂର୍ବ ସୂଚନା ବିନା ବିଦ୍ୟୁତ୍ କାଟ ବନ୍ଦ କରିବା ଆଦି ରହିଛି। ଏଥିସହ ଉପଭୋକ୍ତାଙ୍କ ଅଭିଯୋଗର ସହଜ ଓ ସ୍ୱଚ୍ଛ ନିରାକରଣ ପାଇଁ ମଧ୍ୟ ଦାବି କରାଯାଇଛି।
ସେହିପରି ଛଟେଇ ହୋଇଥିବା ଠିକା କର୍ମଚାରୀଙ୍କ ମାମଲାର ପୁନର୍ବିଚାର କରି ଯୋଗ୍ୟ କର୍ମଚାରୀଙ୍କୁ ପୁନଃନିଯୁକ୍ତି, ଠିକା କର୍ମଚାରୀଙ୍କୁ ଲିଖିତ ନିଯୁକ୍ତିପତ୍ର, ନିୟମିତ ଦରମା, ଇପିଏଫ୍, ଇଏସ୍ଆଇ ଓ ସୁରକ୍ଷା ସାମଗ୍ରୀ ପ୍ରଦାନ କରିବାକୁ ଦାବି ହୋଇଛି। ଏହାବ୍ୟତୀତ ସ୍ଥାନୀୟ ଓଡ଼ିଆ ଯୁବକଙ୍କୁ ନିଯୁକ୍ତି, ମନମୁଖୀ ବଦଳି ବନ୍ଦ ଏବଂ ସରକାର ଓ ମିଳିତ ମଞ୍ଚ ମଧ୍ୟରେ ବୈଠକ ଆୟୋଜନ କରି ସମସ୍ୟାର ସମାଧାନ ପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି।
