ଫୁଲବାଣୀ (ଓଡ଼ିଶ୍ରୀ ସମ୍ବାଦ): ଦୀର୍ଘ ପାଞ୍ଚ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଗଞ୍ଜାମ ଜିଲ୍ଲାର ଦୁର୍ଗମ ଉପତ୍ୟକାରେ ଥିବା ଗିଡ଼ିପାବାଲି ଗ୍ରାମରେ ପିଢ଼ି ପରେ ପିଢ଼ି ବସବାସ କରି ଆସୁଥିଲେ ଲୋକେ। ଚାରିପଟେ ଘଞ୍ଚ ଜଙ୍ଗଲ ଓ ବିଶାଳ ପାହାଡ଼ ଘେରି ରହିଥିବା ଏହି ଛୋଟ ଗ୍ରାମରେ ଯାତାୟାତ ପାଇଁ ଭଲ ରାସ୍ତା ନଥିଲା କିମ୍ବା ମୌଳିକ ସୁବିଧାର ଯଥେଷ୍ଟ ବ୍ୟବସ୍ଥା ନଥିଲା। ତଥାପି ଗ୍ରାମବାସୀଙ୍କ ମଧ୍ୟରେ ଥିଲା ଭାଇଚାରା, ଆତ୍ମୀୟତା ଓ ପାରସ୍ପରିକ ସହଯୋଗର ନିବିଡ଼ ସମ୍ପର୍କ।
ତେବେ ଏତେ ଦୁର୍ଗମ ଅଞ୍ଚଳରେ ଲୋକେ କାହିଁକି ବସବାସ କରୁଥିଲେ? ଏହାର ମୁଖ୍ୟ କାରଣ ଥିଲା ଉର୍ବର ଚାଷଜମି ଓ ଜଙ୍ଗଲ ସମ୍ପଦ। ଏଠାକାର ମାଟି ଚାଷ ପାଇଁ ଉପଯୋଗୀ ଥିବାରୁ ଧାନ ସମେତ ବିଭିନ୍ନ ପନିପରିବା ଫସଲର ଭଲ ଅମଳ ହେଉଥିଲା। ବିଶେଷକରି ହଳଦୀ ଚାଷ ପାଇଁ ଏହି ଅଞ୍ଚଳ ବେଶ୍ ଉପଯୋଗୀ ଥିଲା। ଏଥିସହ ଜଙ୍ଗଲରୁ ମିଳୁଥିବା ବିଭିନ୍ନ ବନଜାତ ଦ୍ରବ୍ୟ ମଧ୍ୟ ଗ୍ରାମବାସୀଙ୍କ ଜୀବିକାର ଏକ ପ୍ରମୁଖ ଆଧାର ଥିଲା।
କେବଳ ଜୀବିକା ନୁହେଁ, ଏହି ମାଟି ସହ ଜଡ଼ିତ ଥିଲା ସେମାନଙ୍କ ପରିଚୟ, ସ୍ମୃତି ଓ ପିଢ଼ି ପିଢ଼ିର ସମ୍ପର୍କ। ତେଣୁ ଅନେକ ଅସୁବିଧା ସତ୍ତ୍ୱେ ଗ୍ରାମବାସୀ ନିଜ ଭିଟାମାଟି ଛାଡ଼ିବାକୁ ଚାହୁଁନଥିଲେ।
କିନ୍ତୁ ଭୂସ୍ଖଳନର ଭୟାବହ ଘଟଣା ପରେ ଗିଡ଼ିପାବାଲି ଗ୍ରାମବାସୀଙ୍କ ଜୀବନରେ ସୃଷ୍ଟି ହୋଇଛି ଅନିଶ୍ଚିତତା। ଯେଉଁ ଗାଁକୁ ଦିନେ ନିଜର ସବୁକିଛି ଭାବି ଆପଣାଇଥିଲେ, ଏବେ ସେହି ଗାଁକୁ ଫେରିବା ନେଇ ସେମାନଙ୍କ ମନରେ ଭୟ ଓ ଦ୍ୱନ୍ଦ୍ୱ ଦେଖାଦେଇଛି। ଆଉ ଗାଁକୁ ଫେରିବେ ନାହିଁ ବୋଲି କେତେକ ଗ୍ରାମବାସୀ କହୁଥିବା ଜଣାପଡ଼ିଛି।
ଅନ୍ୟପଟେ, ଗ୍ରାମବାସୀଙ୍କୁ ଏକ ନିରାପଦ ସ୍ଥାନରେ ଥଇଥାନ କରିବା ନେଇ ପ୍ରଶାସନ ସମ୍ମୁଖରେ ବଡ଼ ପ୍ରଶ୍ନ ରହିଛି। ସେମାନଙ୍କୁ ଗଞ୍ଜାମ ଜିଲ୍ଲାରେ ଥଇଥାନ କରାଯିବ ନା କନ୍ଧମାଳ ଜିଲ୍ଲାରେ ରଖାଯିବ, ତାହା ଏବେ ସ୍ପଷ୍ଟ ହୋଇନାହିଁ। ଗିଡ଼ିପାବାଲି ଅଞ୍ଚଳରେ କନ୍ଧମାଳ ଜିଲ୍ଲାର କେତେକ ଲୋକଙ୍କ ଚାଷଜମି ରହିଥିବା ମଧ୍ୟ ଜଣାପଡ଼ିଛି।
ଏଭଳି ସ୍ଥିତିରେ ଗ୍ରାମବାସୀଙ୍କ ଜୀବିକା, ଚାଷଜମି ଓ ଭିଟାମାଟି ସହ ଜଡ଼ିତ ଭାବନାକୁ କିପରି ସୁରକ୍ଷା ଦିଆଯିବ, ତାହା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ନିରାପଦ ଥଇଥାନ ସହ ସେମାନଙ୍କ ଜୀବିକାର ବିକଳ୍ପ ବ୍ୟବସ୍ଥା କରିବା ପ୍ରଶାସନ ପାଇଁ ଏବେ ବଡ଼ ଆହ୍ୱାନ।
