• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବାତ୍ୟା ‘ମୁରାସୁ’ ମୁକାବିଲା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

Byodishri Live

Nov 2, 2026

୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ୨୮ଟି ସ୍କୁଲରେ ଅସ୍ଥାୟୀ ଆଶ୍ରୟ କେନ୍ଦ୍ର; ଅଧିକାରୀଙ୍କ ଛୁଟି ବାତିଲ

ଜୟପାଟଣା, (ଓଡ଼ିଶ୍ରୀ ସମ୍ବାଦ): ବାତ୍ୟା ‘ମୁରାସୁ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାରେ ଜରୁରୀକାଳୀନ ପ୍ରସ୍ତୁତି ଜୋରଦାର କରିଛି ଜିଲ୍ଲା ପ୍ରଶାସନ। ଆସନ୍ତା ୩ ଓ ୪ ତାରିଖରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନର ପ୍ରଭାବ ବଢ଼ିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ରହିଛି। ଏହି ପରିସ୍ଥିତିରେ ବନ୍ୟା, ଜଳବନ୍ଦୀ ଓ ଭୂସ୍ଖଳନ ଭଳି ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଓସ୍ୱାନ୍‌ ଗୃହରେ ଏକ ଆଭାସୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ ଓ ତହସିଲଦାରମାନେ ଯୋଗଦେଇଥିଲେ। ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ସଫଳ ମୁକାବିଲା ପାଇଁ ସମସ୍ତ ବିଭାଗକୁ ସଜାଗ ରହିବା ସହ ନିଜ ନିଜ କର୍ମସ୍ଥଳରେ ଉପସ୍ଥିତ ରହି ଦାୟିତ୍ୱ ସମ୍ପାଦନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ପୂର୍ବାନୁମତି ବିନା କେହି ମୁଖ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ।

୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଓ ଆଶ୍ରୟ ବ୍ୟବସ୍ଥା

ବିପଦର ଆଶଙ୍କା ଥିବା ନଦୀକୂଳବର୍ତ୍ତୀ ଗ୍ରାମଗୁଡ଼ିକରେ ମାଇକ୍‌ ଯୋଗେ ସତର୍କତାମୂଳକ ପ୍ରଚାର କରାଯିବ। ଜିଲ୍ଲା, ବ୍ଲକ୍‌, ତହସିଲ୍‌ ଓ ସହରାଞ୍ଚଳର ବିଭିନ୍ନ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଭୂସ୍ଖଳନ ଆଶଙ୍କା ଥିବା ଥୁଆମୂଳ ରାମପୁର, ଲାଞ୍ଜିଗଡ଼, ଏମ୍‌. ରାମପୁର ଓ କୋକସରା ବ୍ଲକ୍‌ରେ ଆଗୁଆ ସତର୍କତାମୂଳକ ବ୍ୟବସ୍ଥା କରାଯାଇଛି।

ଜିଲ୍ଲାର ୨୮ଟି ବିଦ୍ୟାଳୟରେ ଅସ୍ଥାୟୀ ଆଶ୍ରୟ କେନ୍ଦ୍ର ପ୍ରସ୍ତୁତ ରଖାଯାଇଛି। ସେହିପରି ବେଲଖଣ୍ଡି, ରାସଡୁମେର, ବାଲିଛଡ଼ା ଓ କୁଟେନ୍‌ଗାଁଠାରେ ବହୁମୁଖୀ ବନ୍ୟା ଆଶ୍ରୟ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଏବଂ ଏ ସମ୍ପର୍କିତ ରିପୋର୍ଟ ଶୀଘ୍ର ପଠାଇବାକୁ ସମସ୍ତ ବିଡିଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱାସ୍ଥ୍ୟ ଓ ରିଲିଫ୍‌ ସାମଗ୍ରୀ ମହଜୁଦ

ଗର୍ଭବତୀ ମହିଳାଙ୍କୁ ଆବଶ୍ୟକତା ଅନୁଯାୟୀ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିବାକୁ ବ୍ୟବସ୍ଥା ହୋଇଛି। ଜିଲ୍ଲାର ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ମୋଟ ୧,୯୦୦ଟି ସାପ କାମୁଡ଼ା ପ୍ରତିଷେଧକ ଇଞ୍ଜେକ୍ସନ ମହଜୁଦ ରଖାଯାଇଛି। ଏଥିସହ ୧,୭୬୬ଟି ପଲିଥିନ୍‌ ରୋଲ୍‌, ଯଥେଷ୍ଟ ପରିମାଣର ଚୁଡ଼ା, ଗୁଡ଼ ଓ ବିସ୍କୁଟ ମହଜୁଦ ରଖିବା ସହ ଆବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟ ଯୋଗାଇବାର ବ୍ୟବସ୍ଥା କରାଯାଇଛି।

ବିଭିନ୍ନ ବ୍ଲକ୍‌ ପାଇଁ ନୋଡାଲ ଅଧିକାରୀ ନିଯୁକ୍ତ

ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ପ୍ରସ୍ତୁତି ଓ ପରିଚାଳନା ତଦାରଖ ପାଇଁ ନୋଡାଲ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଙ୍କୁ ଗୋଲାମୁଣ୍ଡା ଓ ଧର୍ମଗଡ଼, ସିଡିଓ ତଥା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ କଲମପୁର ଓ ଜୁନାଗଡ଼, ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ କୋକସରା ଓ ଜୟପାଟଣା ଏବଂ ଭବାନୀପାଟଣା ଉପଜିଲ୍ଲାପାଳଙ୍କୁ କେସିଙ୍ଗା ବ୍ଲକ୍‌ର ଦାୟିତ୍ୱ ଅର୍ପଣ କରାଯାଇଛି।

ରାସ୍ତା, ପୋଲ, ଗମନାଗମନ, ବିଦ୍ୟୁତ୍‌ ଯୋଗାଣ, ପାନୀୟ ଜଳ, ଟେଲିକମ୍‌ ସେବା, ସ୍ୱାସ୍ଥ୍ୟସେବା, ଅଗ୍ନିଶମ ଓ ଖାଦ୍ୟ ଯୋଗାଣ ବିଭାଗକୁ ନିଜ ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲାଇବାକୁ ଜିଲ୍ଲାପାଳ କହିଛନ୍ତି। ଆସନ୍ତା ୩ ତାରିଖରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *