• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଅନୁମତି ମିଳିଛି, ତଥାପି ବିଦ୍ୟାଳୟରୁ ହଟୁନି ବିପଦପୂର୍ଣ୍ଣ ଶୁଖିଲା ଗଛ!

Byodishri Live

Nov 5, 2026

ଗଛ ଭାଙ୍ଗି ପଡ଼ିବା ଆଶଙ୍କାରେ ଛାତ୍ରୀ ଓ ଅଭିଭାବକ ଚିନ୍ତିତ; ତୁରନ୍ତ ପଦକ୍ଷେପ ଦାବି

ବାଲିଗୁଡ଼ା, (ଓଡ଼ିଶ୍ରୀ ସମ୍ବାଦ): ବିପଦ ଆଖି ଆଗରେ ଥିଲେ ମଧ୍ୟ ଏହାର ପ୍ରତିକାର ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି। ବନ ବିଭାଗ ପକ୍ଷରୁ ଶୁଖିଲା ଗଛ କାଟିବା ପାଇଁ ଅନୁମତି ମିଳିବା ସହ ଯୁଗ୍ମ ଯାଞ୍ଚ ମଧ୍ୟ ସରିଛି। ତଥାପି ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଗଛଟିକୁ ବିଦ୍ୟାଳୟ ପରିସରରୁ ହଟାଯାଇନାହିଁ। ଫଳରେ ଗଛ ଭାଙ୍ଗି ପଡ଼ିବା ଆଶଙ୍କାରେ ଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଲୋକେ ଚିନ୍ତିତ ଅଛନ୍ତି।

କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍‌ ଦୁର୍ଗାପଙ୍ଗାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଏକ ଶୁଖିଲା ଗଛ ଏବେ ବିପଦର କାରଣ ପାଲଟିଛି। ଗଛଟି ଦୁର୍ବଳ ଅବସ୍ଥାରେ ଥିବାରୁ ଯେକୌଣସି ସମୟରେ ଭାଙ୍ଗି ପଡ଼ିବାର ଆଶଙ୍କା ରହିଛି। ବିଦ୍ୟାଳୟ ପରିସରରେ ପ୍ରତିଦିନ ଛାତ୍ରୀ ଓ ଶିକ୍ଷକଙ୍କ ଚଳପ୍ରଚଳ ଲାଗି ରହୁଥିବାରୁ ଏହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।

ସୂଚନା ଅନୁଯାୟୀ, ଗଛଟିକୁ ହଟାଇବା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବନ ବିଭାଗକୁ ଲିଖିତ ଭାବେ ଅନୁରୋଧ କରିଥିଲେ। ଏହାପରେ ୨୩ ସେପ୍ଟେମ୍ବର ୨୦୨୬ରେ କୋଟଗଡ଼ ବନାଞ୍ଚଳ ଅଧିକାରୀ ଓ ତହସିଲର ରାଜସ୍ୱ କର୍ମଚାରୀଙ୍କ ଉପସ୍ଥିତିରେ ଗଛଟିର ଯୁଗ୍ମ ଯାଞ୍ଚ କରାଯାଇଥିଲା।

ଯାଞ୍ଚ ରିପୋର୍ଟ ଆଧାରରେ ୨୯ ସେପ୍ଟେମ୍ବର ୨୦୨୬ରେ ବାଲିଗୁଡ଼ା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଛ କାଟିବା ପାଇଁ ଅନୁମତି ସମ୍ପର୍କିତ ଚିଠି ଜାରି ହୋଇଥିଲା। ଗଛଟିକୁ ବିଦ୍ୟାଳୟ ପରିସରରୁ ହଟାଇବା କାର୍ଯ୍ୟ ଓଏଫ୍‌ଡିସି ଲିମିଟେଡ୍‌ ମାଧ୍ୟମରେ କରାଯିବ ବୋଲି ମଧ୍ୟ ଚିଠିରେ ଉଲ୍ଲେଖ ରହିଥିବା ଜଣାପଡ଼ିଛି।

ତେବେ ଅନୁମତି ମିଳିବାର ଏକ ମାସରୁ ଅଧିକ ସମୟ ବିତିଥିଲେ ମଧ୍ୟ ଗଛଟି ହଟାଯାଇନାହିଁ। ଏହି କାର୍ଯ୍ୟ କେଉଁ କାରଣରୁ ବିଳମ୍ବ ହେଉଛି ଏବଂ ଗଛ ହଟାଇବାର ଦାୟିତ୍ୱ କାହାର, ତାହାକୁ ନେଇ ଅଭିଭାବକ ମହଲରେ ପ୍ରଶ୍ନ ଉଠିଛି।

କୌଣସି ଅଘଟଣ ଘଟିବା ପରେ ତଦନ୍ତ କିମ୍ବା ଦାୟିତ୍ୱ ନିର୍ଦ୍ଧାରଣ କରିବା ଅପେକ୍ଷା ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ନେବା ଜରୁରୀ। ତେଣୁ ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ କର୍ତ୍ତୃପକ୍ଷ, ବନ ବିଭାଗ ଓ ଓଏଫ୍‌ଡିସି ମଧ୍ୟରେ ସମନ୍ୱୟ ରକ୍ଷା କରି ତୁରନ୍ତ ଗଛଟିକୁ ହଟାଇବାକୁ ଅଭିଭାବକ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *