• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

କଟକରେ ସ୍କର୍ପିଓ ଧକ୍କାରେ ପଥଚାରୀ ମୃତ: ଗାଡ଼ିରେ ଢେଙ୍କାନାଳ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ନାମ ଲେଖା

Byodishri Live

Nov 5, 2026

ମଧୁପାଟଣା ଥାନା ଅଞ୍ଚଳରେ ଦୁର୍ଘଟଣା; ଅଧିକାରୀ ଘଟଣାସ୍ଥଳରୁ ଚାଲିଯାଇଥିବା ଅଭିଯୋଗ, ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ପରିଚୟ ନେଇ ତଦନ୍ତ

କଟକ (ଓଡ଼ିଶ୍ରୀ ସମ୍ବାଦ): କଟକ ମଧୁପାଟଣା ଥାନା ଅନ୍ତର୍ଗତ ନେତାଜୀ ନଗର ଅଞ୍ଚଳରେ ଏକ ସ୍କର୍ପିଓ ଗାଡ଼ି ଧକ୍କାରେ ଜଣେ ପଥଚାରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ପ୍ରଦୀପ ପରିଡ଼ା ବୋଲି ଜଣାପଡ଼ିଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ିର ନମ୍ବର OD 06 P 9091 ହୋଇଥିବା ବେଳେ ଏଥିରେ ‘ଢେଙ୍କାନାଳ ପୌରପାଳିକା ନିର୍ବାହୀ ଅଧିକାରୀ’ ବୋଲି ଲେଖା ରହିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ପ୍ରଦୀପ ରାସ୍ତା ଅତିକ୍ରମ କରୁଥିବା ସମୟରେ ଏକ ସ୍କର୍ପିଓ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଧକ୍କାରେ ସେ ଦୂରକୁ ଛିଟିକି ପଡ଼ିବା ସହ ମୁଣ୍ଡରେ ଗୁରୁତର ଆଘାତ ପାଇଥିଲେ। ପ୍ରବଳ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଖବର ପାଇ ମଧୁପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ପରେ ଶବ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲକୁ ପଠାଯାଇଥିଲା।

ଅନ୍ୟପକ୍ଷରେ, ଗାଡ଼ିରେ ଢେଙ୍କାନାଳ ପୌରପାଳିକାର ନିର୍ବାହୀ ଅଧିକାରୀ ତଥା ପୂର୍ବତନ କେନ୍ଦ୍ରାପଡ଼ା ବିଡିଓ ଥିବା ଏବଂ ଦୁର୍ଘଟଣା ପରେ ସେ ଘଟଣାସ୍ଥଳରୁ ଚାଲିଯାଇଥିବା ନେଇ ଅଭିଯୋଗ ହୋଇଛି। ତେବେ ଦୁର୍ଘଟଣା ସମୟରେ ଗାଡ଼ି କିଏ ଚଳାଉଥିଲେ, ଗାଡ଼ିରେ କେଉଁମାନେ ଥିଲେ ଏବଂ ସମ୍ପୃକ୍ତ ଅଧିକାରୀଙ୍କ ପ୍ରକୃତ ଭୂମିକା କ’ଣ ଥିଲା, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

ଏହି ଘଟଣାକୁ ନେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ପୁଲିସର ତଦନ୍ତ ଓ ଅଧିକାରୀଙ୍କ ପକ୍ଷରୁ ମିଳିବାକୁ ଥିବା ସ୍ପଷ୍ଟୀକରଣ ଉପରେ ଏବେ ନଜର ରହିଛି।

Spread the love

Leave a Reply

Your email address will not be published. Required fields are marked *