• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଯାଜପୁରରେ ୭୮,୫୩୧ ସ୍କୁଲ ବ୍ୟାଗ୍ ବଣ୍ଟନକୁ ନେଇ ଅନିୟମିତତା ଅଭିଯୋଗ

Byodishri Live

Nov 5, 2026

ନିମ୍ନମାନର ବ୍ୟାଗ୍ ଯୋଗାଣ ନେଇ ଅଭିଭାବକଙ୍କ ଅସନ୍ତୋଷ; RTI ତଥ୍ୟରେ କ୍ରୟ ଓ ଯୋଗାଣ ସମ୍ପର୍କିତ ଦସ୍ତାବିଜ ନଥିବା ଦାବି

ବରୀ, (ଓଡ଼ିଶ୍ରୀ ସମ୍ବାଦ): ସରକାରୀ ବିଦ୍ୟାଳୟର କୋମଳମତି ଶିଶୁଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ଓ ସେମାନଙ୍କ ପାଇଁ ଆନନ୍ଦଦାୟକ ଶୈକ୍ଷିକ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ‘ନିପୁଣ ଓଡ଼ିଶା, ନିପୁଣ ଭାରତ’ ଅଭିଯାନ ଅଧୀନରେ ମାଗଣା ସ୍କୁଲ ବ୍ୟାଗ୍ ବଣ୍ଟନ କରାଯାଇଛି। ଓଡ଼ିଶା ସ୍କୁଲ ଏଜୁକେସନ୍ ପ୍ରୋଗ୍ରାମ ଅଥରିଟି (OSEPA) ପକ୍ଷରୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିଶୁବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଏହି ବ୍ୟାଗ୍ ଯୋଗାଇ ଦିଆଯାଇଛି। ତେବେ ଯାଜପୁର ଜିଲ୍ଲାରେ ବ୍ୟାଗ୍ ବଣ୍ଟନର ଗୁଣବତ୍ତା ଓ କ୍ରୟ ପ୍ରକ୍ରିୟାକୁ ନେଇ ଗୁରୁତର ଅନିୟମିତତା ଅଭିଯୋଗ ଉଠିଛି।

ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ମାସରେ ଯାଜପୁର ଜିଲ୍ଲାରେ ମୋଟ ୭୮ ହଜାର ୫୩୧ଟି ସ୍କୁଲ ବ୍ୟାଗ୍ ବଣ୍ଟନ କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ତତ୍ତ୍ୱାବଧାନରେ ଜିଲ୍ଲାର ୧୦ଟି ବ୍ଲକ୍‌କୁ ଏହି ବ୍ୟାଗ୍ ଯୋଗାଣ ହୋଇଥିବା ତଥ୍ୟରେ ଉଲ୍ଲେଖ ରହିଛି।

ବ୍ଲକ୍‌ୱାରି ବ୍ୟାଗ୍ ବଣ୍ଟନ ସଂଖ୍ୟା ହେଉଛି: ବଡ଼ଚଣାରେ ୮,୯୪୭ଟି, ବରୀରେ ୫,୭୫୩ଟି, ବିଞ୍ଝାରପୁରରେ ୭,୨୩୭ଟି, ଦାନଗଦିରେ ୬,୭୭୩ଟି, ଦଶରଥପୁରରେ ୮,୬୨୧ଟି, ଧର୍ମଶାଳାରେ ୯,୭୨୦ଟି, ଯାଜପୁରରେ ୮,୦୪୬ଟି, କୋରେଇରେ ୮,୮୦୮ଟି, ରସୁଲପୁରରେ ୬,୮୭୯ଟି ଓ ସୁକିନ୍ଦାରେ ୭,୭୪୭ଟି। ଏହି ତଥ୍ୟ ଅନୁସାରେ ଧର୍ମଶାଳା ବ୍ଲକ୍‌ରେ ସର୍ବାଧିକ ଓ ବରୀ ବ୍ଲକ୍‌ରେ ସର୍ବନିମ୍ନ ବ୍ୟାଗ୍ ବଣ୍ଟନ ହୋଇଛି।

ତେବେ ବ୍ୟାଗ୍‌ର ଗୁଣବତ୍ତାକୁ ନେଇ ବରୀ, ବିଞ୍ଝାରପୁର, ଦଶରଥପୁର, କୋରେଇ ଓ ଦାନଗଦି ବ୍ଲକ୍‌ର ବିଭିନ୍ନ ବିଦ୍ୟାଳୟରେ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଅନେକ ବ୍ୟାଗ୍‌ର ଚେନ୍ ଠିକ୍ ଭାବେ କାମ କରୁନାହିଁ। କେତେକ ବ୍ୟାଗ୍ ଚିରାଫଟା ଓ ନିମ୍ନମାନର ଥିବାରୁ କିଛି ଅଭିଭାବକ ତାହାକୁ ବିଦ୍ୟାଳୟକୁ ଫେରାଇ ଦେଇଥିବା ଜଣାପଡ଼ିଛି।

ଏହି ଅଭିଯୋଗ ମଧ୍ୟରେ ସୂଚନା ଅଧିକାର ଆଇନ (RTI) ମାଧ୍ୟମରେ ମିଳିଥିବା ତଥ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ବ୍ୟାଗ୍ ଯୋଗାଣକାରୀ ସଂସ୍ଥା କିମ୍ବା ବ୍ୟକ୍ତିଙ୍କଠାରୁ ନିଆଯାଇଥିବା ରସିଦ୍ ଓ କୋଟେସନ୍‌ର ନକଲ ମଗାଯାଇଥିଲେ ମଧ୍ୟ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ତାହା ଉପଲବ୍ଧ ନଥିବା ଦର୍ଶାଯାଇଥିବା ଅଭିଯୋଗ ହୋଇଛି। ସେହିପରି ବ୍ଲକ୍‌ସ୍ତରରେ ବ୍ୟାଗ୍ ବଣ୍ଟନ ସମ୍ପର୍କିତ ବିବରଣୀ ଓ ଆବଶ୍ୟକ ପ୍ରମାଣପତ୍ର ମଧ୍ୟ ମିଳିନଥିବା କୁହାଯାଇଛି।

ଏତେ ବଡ଼ ପରିମାଣରେ ବ୍ୟାଗ୍ କ୍ରୟ ଓ ଯୋଗାଣ ହୋଇଥିବା ବେଳେ କ୍ରୟ ମୂଲ୍ୟ ନିର୍ଦ୍ଧାରଣ ପାଇଁ କେଉଁ କେଉଁ ସଂସ୍ଥାଠାରୁ କୋଟେସନ୍ ନିଆଯାଇଥିଲା? କେଉଁ ସଂସ୍ଥାକୁ ଯୋଗାଣ ଦାୟିତ୍ୱ ଦିଆଯାଇଥିଲା? ସଂସ୍ଥା ଚୟନର ମାନଦଣ୍ଡ କ’ଣ ଥିଲା? ପ୍ରତି ବ୍ୟାଗ୍‌ର କ୍ରୟ ମୂଲ୍ୟ କେତେ ଏବଂ ସମଗ୍ର ପ୍ରକଳ୍ପରେ କେତେ ଟଙ୍କା ଖର୍ଚ୍ଚ ହୋଇଛି? ଏତେ ବଡ଼ କ୍ରୟ ପ୍ରକ୍ରିୟାର ଆବଶ୍ୟକ ଦସ୍ତାବିଜ ବିଭାଗ ପାଖରେ କାହିଁକି ଉପଲବ୍ଧ ନାହିଁ? ଏଭଳି ଅନେକ ପ୍ରଶ୍ନ ଏବେ ଉଠିଛି।

ଏହି ପ୍ରସଙ୍ଗରେ କ୍ରୟ ଓ ଯୋଗାଣ ପ୍ରକ୍ରିୟାର ସ୍ୱଚ୍ଛତା ନେଇ ସନ୍ଦେହ ପ୍ରକାଶ ପାଇଛି। ଅଭିଭାବକମାନେ ବ୍ୟାଗ୍‌ର ଗୁଣବତ୍ତା ଯାଞ୍ଚ କରିବା ସହ ସମଗ୍ର କ୍ରୟ ଓ ବଣ୍ଟନ ପ୍ରକ୍ରିୟାର ନିରପେକ୍ଷ ତଦନ୍ତ ଏବଂ ଦାୟିତ୍ୱରେ ଥିବା ସଂସ୍ଥା ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *