ସେବା, ଶୃଙ୍ଖଳା ଓ ନେତୃତ୍ୱ ମୂଲ୍ୟବୋଧ ଉପରେ ଗୁରୁତ୍ୱ; ରୋଭର୍ ଓ ରେଞ୍ଜର୍ ଛାତ୍ରଛାତ୍ରୀଙ୍କ ଯୋଗଦାନ
କେନ୍ଦୁପଦର (ଗଞ୍ଜାମ), (ଓଡ଼ିଶ୍ରୀ ସମ୍ବାଦ): ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକ୍ ଅନ୍ତର୍ଗତ କେନ୍ଦୁପଦରସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଭାରତ ସ୍କାଉଟ୍ସ୍ ଆଣ୍ଡ ଗାଇଡ୍ସର ପ୍ରତିଷ୍ଠା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ନଭେମ୍ବର ୭ ତାରିଖରେ କଲେଜର ଆଜାଦ ରୋଭର୍ ଓ ସାରୋଜିନୀ ରେଞ୍ଜର୍ ୟୁନିଟ୍ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ରୋଭର୍ ୟୁନିଟ୍ ଲିଡର୍ ଉପେନ୍ଦ୍ର ମାଝୀ ଏବଂ ରେଞ୍ଜର୍ ୟୁନିଟ୍ ଲିଡର୍ ସୁଜାତା ଟେଟେଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ କଲେଜ ଅଧ୍ୟକ୍ଷ ଅଭିଷେକ ବେହେରା ଅଧ୍ୟକ୍ଷତା କରିଥିଲେ। ସେ ଭାରତ ସ୍କାଉଟ୍ସ୍ ଆଣ୍ଡ ଗାଇଡ୍ସର ଲକ୍ଷ୍ୟ, ଆଦର୍ଶ ଓ ପ୍ରତିଷ୍ଠା ଦିବସର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି ଅବସରରେ ରେଞ୍ଜର୍ ୟୁନିଟ୍ ଲିଡର୍ ସୁଜାତା ଟେଟେ ମଧ୍ୟ ଦିବସର ମହତ୍ତ୍ୱ ଓ ସ୍କାଉଟ୍ସ୍ ଆଣ୍ଡ ଗାଇଡ୍ସର ମୂଳ ଉଦ୍ଦେଶ୍ୟ ବିଷୟରେ ନିଜର ମତ ରଖିଥିଲେ। ଉତ୍ସବରେ କଲେଜର ସମସ୍ତ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀଙ୍କ ସହ ରୋଭର୍ ଓ ରେଞ୍ଜର୍ ଛାତ୍ରଛାତ୍ରୀ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ସ୍କାଉଟ୍ସ୍ ଆଣ୍ଡ ଗାଇଡ୍ସର ‘ପ୍ରସ୍ତୁତ ରୁହ’ (Be Prepared) ମନ୍ତ୍ର ସହ ସେବା, ଶୃଙ୍ଖଳା ଓ ନେତୃତ୍ୱ ଭଳି ମୂଲ୍ୟବୋଧର ଗୁରୁତ୍ୱ ଉପରେ ଆଲୋଚନା ହୋଇଥିଲା। ଶେଷରେ ରୋଭର୍ ୟୁନିଟ୍ ଲିଡର୍ ଉପେନ୍ଦ୍ର ମାଝୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
