ରାଜକନିକା, (ଓଡ଼ିଶ୍ରୀ ସମ୍ବାଦ): ରାଜକନିକା ବ୍ଲକ ସ୍ତରରେ ଜଳକୃଷିରେ ଅଣୁଜୀବନାଶକର ନ୍ୟାୟସଙ୍ଗତ ବ୍ୟବହାର, ବୈଜ୍ଞାନିକ ମାଛଚାଷ ଓ ଚାଷୀ ସଚେତନତା ସମ୍ପର୍କିତ ଆଲୋଚନାଚକ୍ର ଓ କର୍ମଶାଳା ଅନୁଷ୍ଠିତ ହୋଇଛି। ଏଥିରେ ବ୍ଲକର ଶତାଧିକ ମତ୍ସ୍ୟଚାଷୀ ଯୋଗଦେଇଥିଲେ।
କେନ୍ଦ୍ରୀୟ ମଧୁର ଜଳ ମାଛଚାଷ ସଂସ୍ଥା (ସିଫା)ର ଆହ୍ୱାନକ୍ରମେ ଖରସ୍ରୋତା କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ୍ର ପରିଚାଳନାରେ କାଳିକାପୁରସ୍ଥିତ କାଳିକେଇ କଲ୍ୟାଣ ମଣ୍ଡପରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା।
କର୍ମଶାଳାରେ ଭୁବନେଶ୍ୱର କୌଶଲ୍ୟାଗଙ୍ଗ ବିଜ୍ଞାନ କେନ୍ଦ୍ରର ମତ୍ସ୍ୟ ବୈଜ୍ଞାନିକ ପ୍ରିୟବ୍ରତ ସ୍ୱାଇଁ ଓ ସତ୍ୟନାରାୟଣ ସାହୁ ମାଛଚାଷରେ ଆଣ୍ଟିବାୟୋଟିକ୍ର ସଠିକ୍ ମାତ୍ରାରେ ବ୍ୟବହାର, ପୋଖରୀରେ କବକ ଓ ଶିଉଳି ପରିଚାଳନା ସହ ମାଛର ଉତ୍ତମ ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ଓ ବୈଜ୍ଞାନିକ ପ୍ରଣାଳୀ ସମ୍ପର୍କରେ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମକୁ ସମାଜସେବୀ ମଙ୍ଗୁଳି ଚରଣ ବେହେରା ସଂଯୋଜନା କରିଥିଲେ। ଅତିଥି ଭାବେ ଡ. ସଞ୍ଜୟ ବେହୁରା ଯୋଗଦେଇ ଉପକୂଳ ଓଡ଼ିଶାରେ ମାଛର ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ମାଛ ଉତ୍ପାଦନ ବୃଦ୍ଧି ଓ ଆଧୁନିକ ମାଛଚାଷ ପ୍ରଣାଳୀ ଆପଣାଇବାକୁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ।
କର୍ମଶାଳା ଅବସରରେ ଡଙ୍କାରୀ କୃଷିକନ୍ୟା ଫାର୍ମର ସୁଲୋଚନା ଦାସ ଏବଂ ସିକୋର ସଫଳ ମହିଳା ମାଛଚାଷୀ ତିଳୋତ୍ତମା ସ୍ୱାଇଁଙ୍କୁ ସ୍ୱତନ୍ତ୍ର ପୁରସ୍କାର ଦିଆଯାଇଥିଲା। ଏଥିସହ ବରୁଣାର ମହିଳା ଚାଷୀ ସନ୍ଧ୍ୟାରାଣୀ ବେହେରା ଓ ମଧୁସ୍ମିତା ବେହେରାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ଜାଆଁଳ ଉତ୍ପାଦନ କ୍ଷେତ୍ରରେ ବଡ଼ାଗରର ଚାଷୀ ମାନସ ନାୟକ, ବିଶ୍ୱନାଥପୁରର ସଫଳ ମାଛଚାଷୀ ବିକାଶ ରାଉତ, ଖୁଲାରୀର ବୈକୁଣ୍ଠ ନାୟକ, ମଧୁପଡ଼ାର ସମରେନ୍ଦ୍ର ପଣ୍ଡା ଓ ଭରତ ରାଉତ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ସୁକାନ୍ତ ଦାଶ, ସଞ୍ଜୟ ବିଶ୍ୱାଳ, ପାର୍ଥସାରଥୀ ପଣ୍ଡା, ସୌଦାମିନୀ ମହାନ୍ତି, ନିରଞ୍ଜନ ସ୍ୱାଇଁଙ୍କ ସମେତ ବହୁ ମତ୍ସ୍ୟଚାଷୀ ଓ ଅଞ୍ଚଳର ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।
