• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ବହୁଚର୍ଚ୍ଚିତ ଅନଲାଇନ୍ ଠକେଇ ମାମଲାରେ ଅଭିଯୁକ୍ତଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ

Byodishri Live

Oct 7, 2026

ନବରଙ୍ଗପୁର, (ଓଡ଼ିଶ୍ରୀ ସମ୍ବାଦ): ବହୁଚର୍ଚ୍ଚିତ ଅନଲାଇନ୍ ଠକେଇ ମାମଲାରେ ନବରଙ୍ଗପୁର ଉପଖଣ୍ଡୀୟ ବିଚାର ବିଭାଗୀୟ ବିଚାରପତି ଶ୍ରୀ ସୌମ୍ୟ ଶଙ୍କର ମହାନ୍ତ ଅଭିଯୁକ୍ତ ଅଜୟ କୁମାର ପାଉଲଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ହେଲେ ଅତିରିକ୍ତ ୬ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟ ଶୁଣାଇଛନ୍ତି।

ସୂଚନା ଅନୁଯାୟୀ, ତେନ୍ତୁଳୀଖୁଣ୍ଟି ଗ୍ରାମର ଭି. ପ୍ରଶାନ୍ତ କୁମାର ୨୦୨୫ ନଭେମ୍ବର ୭ ତାରିଖରେ କଟକସ୍ଥିତ ସିଆଇଡି କ୍ରାଇମ୍‌ବ୍ରାଞ୍ଚର ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅନଲାଇନ୍ ଠକେଇ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ କେସ୍‌ ନମ୍ବର ୩୮/୨୫ରେ ମାମଲା ରୁଜୁ ହୋଇଥିଲା।

ଅଭିଯୋଗ ଅନୁଯାୟୀ, ୨୦୨୫ ଅକ୍ଟୋବର ପ୍ରଥମ ସପ୍ତାହରେ ଏକ ଅଜଣା ନମ୍ବରରୁ ପ୍ରଶାନ୍ତଙ୍କ ନିକଟକୁ ଫୋନ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ସେୟାର ମାର୍କେଟ୍‌ରେ ଅର୍ଥ ବିନିଯୋଗ କରି ଲାଭ ପାଇବାର ପ୍ରଲୋଭନ ଦେଖାଇଥିଲେ। ପରେ ତାଙ୍କୁ ‘ଡିଜିଟାଲ ଡାଇନାମୋଶ’ ନାମକ ଏକ ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଯୋଡ଼ାଯାଇଥିଲା। ଗ୍ରୁପ୍‌ରେ ସେୟାର ବଜାର ସମ୍ପର୍କିତ ପରାମର୍ଶ ଦିଆଯାଉଥିବାରୁ ଅଭିଯୋଗକାରୀ ସେହି ନିର୍ଦ୍ଦେଶ ଅନୁସରଣ କରିଥିଲେ।

ପରେ ତାଙ୍କୁ ‘ଗ୍ଲୋବିକ୍ସଭଲ୍ଟ’ ନାମକ ଏକ ଟ୍ରେଡିଂ ପ୍ଲାଟଫର୍ମରେ ଆକାଉଣ୍ଟ ଖୋଲିବାକୁ କୁହାଯାଇଥିଲା। ପ୍ରଥମେ ୨୫,୧୦୦ ଟଙ୍କା ଓ ୩୫,୦୦୦ ଟଙ୍କା ନିବେଶ କରିବା ପରେ ତାଙ୍କ ଆକାଉଣ୍ଟରେ ଯଥାକ୍ରମେ ୮,୫୦୦ ଓ ୬୩,୦୦୦ ଟଙ୍କା ଲାଭ ଦେଖାଯାଇଥିଲା। ଏଥିରେ ବିଶ୍ୱାସ ବଢ଼ିବା ପରେ ଅଭିଯୋଗକାରୀ ୨୦୨୫ ଅକ୍ଟୋବର ୧୨ରୁ ନଭେମ୍ବର ୪ ମଧ୍ୟରେ ମୋଟ ୧ କୋଟି ୯୪ ଲକ୍ଷ ୬୨ ହଜାର ୩୧୦ ଟଙ୍କା ନିବେଶ କରିଥିବା ଅଭିଯୋଗରେ ଦର୍ଶାଯାଇଥିଲା।

ପ୍ଲାଟଫର୍ମରେ ତାଙ୍କ ନିବେଶ ଉପରେ ମୋଟ ୫ କୋଟି ୧୫ ଲକ୍ଷ ୧୭ ହଜାର ୯୮୫ ଟଙ୍କା ଲାଭ ଦେଖାଯାଇଥିଲା। କିନ୍ତୁ ଅର୍ଥ ଉଠାଇବାକୁ ଚେଷ୍ଟା କରିବା ପରେ ଆହୁରି ୬୦ ଲକ୍ଷ ଟଙ୍କା ନିବେଶ କଲେ ହିଁ ଟଙ୍କା ଉଠାଇପାରିବେ ବୋଲି କୁହାଯାଇଥିଲା। ଏତେ ଟଙ୍କା ଦେବାରେ ଅସମର୍ଥତା ପ୍ରକାଶ କରି ପୂର୍ବରୁ ଦେଖାଯାଉଥିବା ଅର୍ଥରୁ ଏହି ଟଙ୍କା କାଟି ବଳକା ଅର୍ଥ ପ୍ରଦାନ କରିବାକୁ ଅଭିଯୋଗକାରୀ ଅନୁରୋଧ କରିଥିଲେ। ଏହାପରେ ତାଙ୍କୁ ହ୍ୱାଟ୍ସଆପ୍‌ ଗ୍ରୁପ୍‌ରୁ ବାହାର କରିଦିଆଯାଇଥିବା ସହ ଫୋନ୍‌ ମଧ୍ୟ ଉଠାଯାଇନଥିବା ଅଭିଯୋଗ ହୋଇଥିଲା।

ଏହାପରେ ସେ କଟକସ୍ଥିତ ସିଆଇଡି କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରିଥିଲେ। ପୁଲିସ ଫୋନ୍‌ ନମ୍ବର, ବ୍ୟାଙ୍କ ଆକାଉଣ୍ଟ ଓ ଅନ୍ୟାନ୍ୟ ଦସ୍ତାବିଜ୍‌ ଯାଞ୍ଚ କରି ଅଭିଯୁକ୍ତ ଅଜୟ କୁମାର ପାଉଲଙ୍କୁ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା ଅନ୍ତର୍ଗତ ରିଷଡ଼ା ଥାନା ଅଞ୍ଚଳର ସେରମପୁରରୁ ଗିରଫ କରିଥିଲା। ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା-୨୦୨୩ର ବିଭିନ୍ନ ଧାରା ସହ ସୂଚନା ପ୍ରଯୁକ୍ତି ଆଇନର ଧାରା ୬୬(ସି) ଓ ୬୬(ଡି) ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ମାମଲାର କୋର୍ଟ କେସ୍‌ ନମ୍ବର ଥିଲା GR-1505/25।

ମାମଲାରେ ଉପସ୍ଥାପିତ ୬ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି ଅଦାଲତ ଅଭିଯୁକ୍ତ ଅଜୟ କୁମାର ପାଉଲଙ୍କୁ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ଆସିଷ୍ଟାଣ୍ଟ ପବ୍ଲିକ୍ ପ୍ରସିକ୍ୟୁଟର ରାମଚନ୍ଦ୍ର ନାୟକ ମାମଲା ପରିଚାଳନା କରୁଥିବାବେଳେ ପବ୍ଲିକ୍ ପ୍ରସିକ୍ୟୁଟର ମନୋଜ କୁମାର ଏକ୍କା ମାମଲାର ପ୍ରତ୍ୟକ୍ଷ ତଦାରଖ କରୁଥିଲେ।

ରାୟ ପ୍ରକାଶ ପାଇବା ପରେ ପୀଡ଼ିତ ଓ ତାଙ୍କ ପରିବାର ସମେତ ସ୍ଥାନୀୟ ଲୋକେ ନ୍ୟାୟିକ ପ୍ରକ୍ରିୟାକୁ ନେଇ ସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *