• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଧର୍ମଶାଳା କଲେଜ ଛାତ୍ର ସଂସଦ ନିର୍ବାଚନ: ନିର୍ଦ୍ୱନ୍ଦ୍ୱରେ ବିଜୟୀ ପ୍ରାର୍ଥୀଙ୍କ ବିଜୟ ଉତ୍ସବ

Byodishri Live

Oct 11, 2026

ଏବିଭିପି ସମର୍ଥିତ ୧୭ ଜଣ ପ୍ରାର୍ଥୀ ବିଜୟୀ ଘୋଷିତ, ଜାରକାରୁ ବଜାର ପରିକ୍ରମା କଲା ଶୋଭାଯାତ୍ରା

ଧର୍ମଶାଳା: ଧର୍ମଶାଳା ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ସମର୍ଥିତ ୧୭ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ଘୋଷିତ ହେବା ପରେ ସେମାନଙ୍କ ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି। ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହେବା ପରେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନଥିବାରୁ ଯାଞ୍ଚ ପ୍ରକ୍ରିୟା ଶେଷରେ କଲେଜ କର୍ତ୍ତୃପକ୍ଷ ଏହି ୧୭ ଜଣଙ୍କୁ ବିଜୟୀ ଘୋଷଣା କରିଥିଲେ।

ଏହି ଅବସରରେ ବିଜୟୀ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ଏକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଜାରକାସ୍ଥିତ ଧର୍ମଶାଳା ମହାବିଦ୍ୟାଳୟରୁ ଖୋଲା ଜିପ୍‌ରେ ବସି ବିଜୟୀ ପ୍ରାର୍ଥୀମାନେ ବାହାରି ବଜାର ପରିକ୍ରମା କରିଥିଲେ। ଧର୍ମଶାଳା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରୁ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଏହି ଶୋଭାଯାତ୍ରାରେ ଯୋଗଦେଇଥିଲେ। ଏହି ସମୟରେ ବିଜୟୀ ପ୍ରାର୍ଥୀ ଓ ସମର୍ଥକମାନେ ଏବିଭିପି ଏବଂ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସମର୍ଥନରେ ନାରାବାଜି କରିଥିଲେ।

ଏହି ନିର୍ବାଚନକୁ ନେଇ ଧର୍ମଶାଳାର ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। କଲେଜରେ ଦୀର୍ଘ ବର୍ଷ ଧରି ପ୍ରଭାବ ରଖିଥିବା ବିଜେଡି ପକ୍ଷରୁ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ ନକରିବାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି। ବର୍ତ୍ତମାନର ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରଭାବ ବଢ଼ୁଥିବା ଏବଂ ବିଜେଡିର ସ୍ଥିତି ଦୁର୍ବଳ ହେଉଥିବା ନେଇ କିଛି ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି।

ବିଧାୟକ ଶ୍ରୀ ସାହୁଙ୍କ ବିଜୟ ପରେ ବିଜେଡିର କେତେକ ଆଗଧାଡ଼ିର ନେତା ବିଜେପିରେ ସାମିଲ ହୋଇଥିବା ଦାବି କରାଯାଉଥିବା ବେଳେ ଧର୍ମଶାଳାରେ ଦଳୀୟ ସମୀକରଣ କିପରି ବଦଳୁଛି, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହାର ପ୍ରଭାବ କେତେ ପଡ଼ିବ ଏବଂ ଭବିଷ୍ୟତରେ ଧର୍ମଶାଳାର ରାଜନୈତିକ ସମୀକରଣ କିପରି ରହିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

Spread the love

Leave a Reply

Your email address will not be published. Required fields are marked *