ତିନି ବର୍ଷ ହେଲା ଆବେଦନ କରି ନିରାଶ କୃଷ୍ଣଚନ୍ଦ୍ର, ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ଅଞ୍ଚଳବାସୀ
ବାଲିଗୁଡ଼ା, (ଓଡ଼ିଶ୍ରୀ ସମ୍ବାଦ): ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ଆବଶ୍ୟକ ବୟସ ସୀମା ଅତିକ୍ରମ କରିଥିଲେ ମଧ୍ୟ ଜଣେ ଆବେଦନକାରୀଙ୍କୁ ଏଯାଏଁ ଭତ୍ତା ମିଳିପାରିନାହିଁ। ଦୀର୍ଘ ତିନି ବର୍ଷ ଧରି ଆବେଦନ କରିବା ସହ ବ୍ଲକ ଓ ପଞ୍ଚାୟତ କାର୍ଯ୍ୟାଳୟକୁ ବାରମ୍ବାର ଯାଇ ନିରାଶ ହୋଇଛନ୍ତି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ ପଞ୍ଚାୟତର ସଲାଗୁଡ଼ା ଗ୍ରାମର କୃଷ୍ଣଚନ୍ଦ୍ର ଦିଗାଲ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇବା ସହ ପ୍ରଶାସନର ହସ୍ତକ୍ଷେପ ଦାବି ହୋଇଛି।
ସୂଚନା ଅନୁଯାୟୀ, କୃଷ୍ଣଚନ୍ଦ୍ର ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ପ୍ରାୟ ତିନି ବର୍ଷ ପୂର୍ବେ ଆବେଦନ କରିଥିଲେ। ତେବେ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ତାଙ୍କ ନାମ ହିତାଧିକାରୀ ତାଲିକାରେ ସାମିଲ ହୋଇନାହିଁ। ଭତ୍ତା ପାଇବା ଆଶାରେ ସେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି କ.ନୂଆଗାଁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଆବେଦନର ସ୍ଥିତି ଜାଣିବା ସହ ଅନୁରୋଧ କରିଥିଲେ। ହେଲେ ଏଯାଏଁ କୌଣସି ସୁଫଳ ମିଳିନଥିବା ସେ କହିଛନ୍ତି।
ନିଜେ ଆବଶ୍ୟକ ବୟସ ହାସଲ କରିଥିବା ସତ୍ତ୍ୱେ କେଉଁ କାରଣରୁ ତାଙ୍କୁ ଭତ୍ତା ମିଳୁନାହିଁ, ସେ ନେଇ କୃଷ୍ଣଚନ୍ଦ୍ର ଅବଗତ ନୁହନ୍ତି। ପୂର୍ବ ସରକାରଙ୍କ ଅମଳରୁ ମଧ୍ୟ ସେ ଏଥିପାଇଁ ଆବେଦନ କରିଆସୁଥିବା ବେଳେ ଏଯାଏଁ ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ କରିଛନ୍ତି।
ଏପରି ସ୍ଥିତିରେ ତାଙ୍କ ଆବେଦନର ସ୍ଥିତି ଓ ବିଳମ୍ବର କାରଣ ଯାଞ୍ଚ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଉଚ୍ଚ କର୍ତ୍ତୃପକ୍ଷ ହସ୍ତକ୍ଷେପ କରି ନିୟମ ଅନୁଯାୟୀ ସେ ଭତ୍ତା ପାଇବାକୁ ଯୋଗ୍ୟ କି ନୁହନ୍ତି, ତାହା ଯାଞ୍ଚ କରିବା ସହ ଯୋଗ୍ୟ ହୋଇଥିଲେ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
