ରେଢ଼ାଖୋଲ, (ଓଡ଼ିଶ୍ରୀ ସମ୍ବାଦ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲସ୍ଥିତ ଭୀମଭୋଇ କଲେଜରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ସମର୍ଥିତ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ସଭାପତି, ଉପସଭାପତି ଓ ସମ୍ପାଦକ ପଦବୀରେ ବିସିଜେଡି ସମର୍ଥିତ ପ୍ରାର୍ଥୀଙ୍କ ବିଜୟ ପରେ ଦଳୀୟ ଶିବିରରେ ଉତ୍ସାହ ପ୍ରକାଶ ପାଇଛି।
ଏହି ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ବିସିଜେଡି ଓ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ସଭାପତି, ଉପସଭାପତି ଓ ସମ୍ପାଦକ ପଦବୀ ପାଇଁ ମୋଟ ୯ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। କଲେଜର ମୋଟ ୭୩୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୩୮ ଜଣ ମତଦାନ କରିଥିଲେ।
ଭୋଟ୍ ଗଣନା ପରେ ଘୋଷିତ ଫଳାଫଳ ଅନୁଯାୟୀ, ସଭାପତି ପଦବୀରେ ବିସିଜେଡି ସମର୍ଥିତ ଶିବ ପ୍ରଧାନ ୩୩୩ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ସେହିପରି ଉପସଭାପତି ପଦବୀରେ ଅବିନାଶ ରାଉତ ୩୬୨ ଖଣ୍ଡ ଭୋଟ୍ ଏବଂ ସମ୍ପାଦକ ପଦବୀରେ ବାଦଲ ପ୍ରଧାନ ୩୧୫ ଖଣ୍ଡ ଭୋଟ୍ ପାଇ ବିଜୟ ଲାଭ କରିଛନ୍ତି।
ରେଢ଼ାଖୋଲ ଏନ୍ଏସିର ବିଜୁ ଛାତ୍ର ଜନତା ଦଳ ସଭାପତି ଶିବଶମ୍ଭୁ ନନ୍ଦଙ୍କ ତତ୍ତ୍ୱାବଧାନରେ ପ୍ରାର୍ଥୀମାନେ ବିଜୟୀ ହୋଇଥିବାରୁ ବିଜେଡି ଶିବିରରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ବିଜୟୀ ପ୍ରାର୍ଥୀମାନେ ନିଜ ସଫଳତାର ଶ୍ରେୟ ସହପାଠୀ ଛାତ୍ରଛାତ୍ରୀ ଓ ଦଳୀୟ କର୍ମକର୍ତ୍ତାଙ୍କୁ ଦେଇଛନ୍ତି।
ଶିବଶମ୍ଭୁ ନନ୍ଦ କହିଛନ୍ତି ଯେ, ଏହି ସଫଳତା କେବଳ କଲେଜର ବିଜୟ ନୁହେଁ, ବରଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ଥାନୀୟ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଏବଂ ବିଜୁ ଜନତା ଦଳର ନୀତି ଓ ଆଦର୍ଶ ପ୍ରତି ଛାତ୍ରଛାତ୍ରୀଙ୍କ ସମର୍ଥନର ପ୍ରତିଫଳନ। ବିଜୟ ପରେ କଲେଜ ପରିସରରେ ସମର୍ଥକ ଓ ଶୁଭେଚ୍ଛୁମାନେ ନବନିର୍ବାଚିତ ପ୍ରାର୍ଥୀଙ୍କୁ ଫୁଲମାଳ ପିନ୍ଧାଇ ସ୍ୱାଗତ ଜଣାଇଥିଲେ।
