• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ପାରମ୍ପରିକ ରୀତିନୀତିରେ ମେଲାଣି ନେଲେ ଜଗତଜନନୀ ମା’ ଦୁର୍ଗା

Byodishri Live

Oct 23, 2026

ଡିଜେ ଓ ବ୍ରାସ୍‌ ବଦଳରେ ଘଣ୍ଟ, ଘଣ୍ଟା, ଶଙ୍ଖ ଓ ଢୋଲରେ ଭସାଣି ଉତ୍ସବ

ଦଶରଥପୁର, (ଓଡ଼ିଶ୍ରୀ ସମ୍ବାଦ): ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଲ୍ଲିକାପୁର ପଞ୍ଚାୟତ ଅନ୍ତର୍ଗତ ବୈଷପାନ ଗ୍ରାମରେ ଜଗତଜନନୀ ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଏକ ନିଆରା ଢଙ୍ଗରେ ଅନୁଷ୍ଠିତ ହୋଇଯାଇଛି। ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଡିଜେ ଓ ବ୍ରାସ୍‌ ବାଦ୍ୟକୁ ଏଡ଼ାଇ ପାରମ୍ପରିକ ଘଣ୍ଟ, ଘଣ୍ଟା, କାହାଳି, ଶଙ୍ଖ ଓ ଢୋଲର ତାଳେ ତାଳେ ମା’ଙ୍କୁ ଭକ୍ତିପୂର୍ଣ୍ଣ ବିଦାୟ ଦିଆଯାଇଥିଲା।

ବୈଷପାନ ଦୁର୍ଗାପୂଜା କମିଟି ପକ୍ଷରୁ ଆୟୋଜିତ ଏହି ଭସାଣି ଉତ୍ସବରେ ପାରମ୍ପରିକ ବାଦ୍ୟ ଓ ରୋଷଣୀ ମୁଖ୍ୟ ଆକର୍ଷଣ ପାଲଟିଥିଲା। ମଦ୍ୟପାନ ଓ ଶବ୍ଦ ପ୍ରଦୂଷଣଠାରୁ ଯୁବ ସମାଜକୁ ଦୂରେଇ ରଖିବା ଏବଂ ପାରମ୍ପରିକ ସଂସ୍କୃତିକୁ ବଜାୟ ରଖିବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ବୋଲି ଦୁର୍ଗାପୂଜା କମିଟିର ବରିଷ୍ଠ ସଭ୍ୟ ପ୍ରଭାତ ମହାନ୍ତି କହିଛନ୍ତି।

ବୈଷପାନ ଗ୍ରାମରେ ଦୀର୍ଘ ୪୭ ବର୍ଷ ଧରି ମା’ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହୋଇଆସୁଛି। ଗତ ଦୁଇ ବର୍ଷ ଧରି କମିଟି ପକ୍ଷରୁ ପାରମ୍ପରିକ ଶୈଳୀରେ ଭସାଣି ଉତ୍ସବ ଆୟୋଜନ କରାଯାଉଛି। ଗତବର୍ଷ ଭକ୍ତିପୂର୍ଣ୍ଣ କୀର୍ତ୍ତନର ତାଳେ ତାଳେ ମା’ଙ୍କୁ ମେଲାଣି ଦିଆଯାଇଥିବାବେଳେ ଚଳିତ ବର୍ଷ ଘଣ୍ଟ, ଘଣ୍ଟା, ଶଙ୍ଖ, ବାଜା ଓ ଢୋଲର ଧ୍ୱନିରେ ଗ୍ରାମ ପରିକ୍ରମା କରାଯାଇଥିଲା।

ପୂଜା ମଣ୍ଡପରୁ ଆରମ୍ଭ ହୋଇଥିବା ରୋଷଣୀ ବୈଷପାନ ଗ୍ରାମ ପରିକ୍ରମା କରିବା ପରେ କାଣୀ ନଦୀରେ ମା’ଙ୍କ ପ୍ରତିମା ବିସର୍ଜନ କରାଯାଇଥିଲା। ଏହି ନିଆରା ରୋଷଣୀ ଦେଖିବା ପାଇଁ ବୈଷପାନ ଓ ଆଖପାଖ ଅଞ୍ଚଳର ବହୁ ମହିଳା ଓ ପୁରୁଷ ଏକତ୍ରିତ ହୋଇଥିଲେ। ପାରମ୍ପରିକ ବାଦ୍ୟ ଓ ଭକ୍ତିମୟ ପରିବେଶ ମଧ୍ୟରେ ମା’ ଦୁର୍ଗାଙ୍କୁ ଶ୍ରଦ୍ଧା ଓ ଭକ୍ତିର ସହ ମେଲାଣି ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *