ନୂଆପଡ଼ା (ଓଡ଼ିଶ୍ରୀ ସମ୍ବାଦ): ନୂଆପଡ଼ା ଜିଲ୍ଲାରେ ମାଦକଦ୍ରବ୍ୟର ଅବୈଧ କାରବାର ଓ ବ୍ୟବହାର ରୋକିବା ସହ ମାଦକ ବିରୋଧୀ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ନାର୍କୋ ସମନ୍ୱୟ କେନ୍ଦ୍ର (ଏନ୍ସିଓଆର୍ଡି) ମେକାନିଜମ୍ କମିଟିର ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟର ସମ୍ମିଳନୀ କକ୍ଷରେ ଏହି ବୈଠକ ହୋଇଥିଲା।
ବୈଠକରେ ଜିଲ୍ଲାରେ ମାଦକଦ୍ରବ୍ୟର ଅବୈଧ କାରବାର ଓ ବ୍ୟବହାର ରୋକିବା, ମାଦକ ବିରୋଧୀ ସଚେତନତାକୁ ବ୍ୟାପକ କରିବା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି ଅଧିକ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ପ୍ରାରମ୍ଭରେ ଡିଏସ୍ପି (ହେଡକ୍ୱାର୍ଟର୍ସ) ସ୍ୱାଧୀନ ମିଶ୍ର ଉପସ୍ଥିତ ଅଧିକାରୀମାନଙ୍କୁ ସ୍ୱାଗତ ଜଣାଇବା ସହ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଏହାସହ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମାଦକଦ୍ରବ୍ୟ ବିରୋଧରେ ନିଆଯାଇଥିବା ପ୍ରବର୍ତ୍ତନମୂଳକ ପଦକ୍ଷେପର ସମୀକ୍ଷା କରାଯାଇଥିଲା।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ବନଖଣ୍ଡ ଅଧିକାରୀ ପ୍ରାନ୍ତୀୟ ଆଜିଜ୍ ଖାଁ, ଉପଜିଲ୍ଲାପାଳ ସୁର୍ମୀ ସୋରେନ, ସିଡିଏମ୍ଓ ଡ. ଇଶାନୀ ମିତ୍ର, ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମଲାଲ ନାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
