ଦାରିଙ୍ଗବାଡ଼ି (ଓଡ଼ିଶ୍ରୀ ସମ୍ବାଦ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତ ଅନ୍ତର୍ଗତ ଦଣ୍ଡିମାହା ଗ୍ରାମର ଝିଅ ମୋନାଲିସା ସାହୁ ସର୍ବଭାରତୀୟ ସ୍ତରରେ ସଫଳତା ହାସଲ କରିଛନ୍ତି। ୨୦୨୬ ମସିହାର UPSC ଭୂବୈଜ୍ଞାନିକ ତଥା ଜଳଭୂତତ୍ତ୍ୱବିତ୍ ପରୀକ୍ଷାରେ ସେ ୧୬ତମ ସ୍ଥାନ ଅଧିକାର କରିଥିବା ଖବର ପ୍ରଚାର ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
ମୋନାଲିସା ହେଉଛନ୍ତି ଦଣ୍ଡିମାହା ଗ୍ରାମର ବିଶ୍ୱନାଥ ସାହୁ ଓ ମମତା ସାହୁଙ୍କ ଝିଅ। ତାଙ୍କର ଏହି ସଫଳତା କନ୍ଧମାଳ ଜିଲ୍ଲା ସମେତ ଦାରିଙ୍ଗବାଡ଼ି ଅଞ୍ଚଳ ପାଇଁ ଗୌରବ ଆଣିଛି।
ଏହି ଅବସରରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଶୁକ୍ରବାର ସନ୍ଧ୍ୟାରେ ମୋବାଇଲ୍ ଫୋନ୍ ଯୋଗେ ମୋନାଲିସାଙ୍କ ସହ କଥା ହୋଇଥିଲେ। ଏଥିସହ ତାଙ୍କ ପିତାମାତାଙ୍କ ସହ ମଧ୍ୟ ଆଲୋଚନା କରି ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ।
ସାଂସଦଙ୍କ ବ୍ଲକ ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ ଓ ହରେନ ସାହୁଙ୍କ ସମେତ ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ବିଭାଗରେ ସାଂସଦଙ୍କ ପ୍ରତିନିଧିତ୍ୱ କରୁଥିବା ପ୍ରତିନିଧି ଦଳ ମୋନାଲିସାଙ୍କ ଘରକୁ ଯାଇ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।
