• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ଓ ସାଧୁତାର ଶପଥ ପାଠ

Byodishri Live

Oct 26, 2026

ଭଦ୍ରକ, (ଓଡ଼ିଶ୍ରୀ ସମ୍ବାଦ): ଦୁର୍ନୀତିମୁକ୍ତ ପ୍ରଶାସନ ଗଠନ ଓ ସରକାରୀ ସେବାରେ ସ୍ୱଚ୍ଛତା ବଜାୟ ରଖିବା ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ସଦ୍‌ଭାବନା ସଭାଗୃହରେ ଦୁର୍ନୀତି ନିବାରଣ ଓ ସାଧୁତାର ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସୋମବାର ପୂର୍ବାହ୍ନ ୧୧ଟାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ଦୁର୍ନୀତି ବିରୋଧରେ ଲଢ଼ିବା ସହ ଦେଶର ପ୍ରଗତି ପାଇଁ ସଚ୍ଚୋଟତା ଓ ନୈତିକତା ବଜାୟ ରଖିବାକୁ ଶପଥ ନେଇଥିଲେ।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବି ନାରାୟଣ ସାହୁ ଏବଂ ଭିଜିଲାନ୍ସ ଡିଏସ୍‌ପି ଦୁଷ୍ମନ୍ତ ନାୟକ ଉପସ୍ଥିତ ରହି ଅଧିକାରୀ ଓ କର୍ମଚାରୀମାନଙ୍କୁ ସାଧୁତାର ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ ସମୟରେ ସମସ୍ତ କ୍ଷେତ୍ରରେ ସଚ୍ଚୋଟତା ଅବଲମ୍ବନ, ଲାଞ୍ଚ ନ ନେବା ଓ ନ ଦେବା, ସ୍ୱଚ୍ଛତାର ସହ ଦାୟିତ୍ୱ ନିର୍ବାହ କରିବା ଏବଂ ଜନସାଧାରଣଙ୍କ ହିତ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସମସ୍ତେ ସଂକଳ୍ପ ନେଇଥିଲେ।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଉଦ୍‌ବୋଧନ ଦେଇ ସରକାରୀ କାର୍ଯ୍ୟରେ ସଚ୍ଚୋଟତା, ନିଷ୍ଠା ଓ ଦାୟିତ୍ୱବୋଧର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଦୁର୍ନୀତିମୁକ୍ତ କାର୍ଯ୍ୟଶୈଳୀ ଆପଣାଇବା ସହ ଜନସାଧାରଣଙ୍କୁ ସ୍ୱଚ୍ଛ ଓ ନିରପେକ୍ଷ ସେବା ପ୍ରଦାନ କରିବାକୁ ସେ ମାର୍ଗଦର୍ଶନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଡେପୁଟି କଲେକ୍ଟର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ।

ଚଳିତ ବର୍ଷର ସଚେତନତା ସପ୍ତାହର ବିଷୟବସ୍ତୁ “ସମୃଦ୍ଧି ପାଇଁ ସତ୍ୟନିଷ୍ଠା” (Probity for Prosperity) ରହିଛି। ଏହି ବାର୍ତ୍ତାକୁ ଆଧାର କରି ନିଜ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ନିର୍ବାହ ସମୟରେ ସଚ୍ଚୋଟତା, ସ୍ୱଚ୍ଛତା ଓ ନୈତିକତା ବଜାୟ ରଖିବା ସହ ଦୁର୍ନୀତିମୁକ୍ତ ପ୍ରଶାସନ ଗଠନ ଦିଗରେ କାର୍ଯ୍ୟ କରିବାକୁ ଅଧିକାରୀ ଓ କର୍ମଚାରୀମାନେ ସଂକଳ୍ପ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *