• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଦୁଇ ବିଧାୟକଙ୍କ ମଧ୍ୟରେ ବିବାଦ! ହନ୍ତସନ୍ତ ସାଧାରଣ ଲୋକେ, ଅଧାରେ ଅଟକିଛି ରାସ୍ତା କାମ

Byodishri Live

Oct 29, 2026

ବଡ଼ଚଣା, (ଓଡ଼ିଶ୍ରୀ ସମ୍ବାଦ):ଯାଜପୁର ଜିଲ୍ଲାର ବଡ଼ଚଣା ଓ ମାହାଙ୍ଗା ବ୍ଲକ ସୀମାନ୍ତରେ ଥିବା ବାଲିଚନ୍ଦ୍ରପୁର–ଲଳିତଗିରି ପୂର୍ତ୍ତ ବିଭାଗ ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତୀକରଣ ପାଇଁ ୨୫ କୋଟି ଟଙ୍କା ମଞ୍ଜୁର ହୋଇଥିବା କୁହାଯାଉଥିବା ବେଳେ ଏଯାଏଁ ନିର୍ମାଣ କାର୍ଯ୍ୟ ଆରମ୍ଭ ନହେବାକୁ ନେଇ ପ୍ରଶ୍ନ ଉଠିଛି।

ସୂଚନା ଅନୁଯାୟୀ, ୨୦୨୬ ମେ ୧ ତାରିଖରେ ମାହାଙ୍ଗାର ସ୍ୱାଧୀନ ବିଧାୟକ ଏହି ରାସ୍ତାର କାର୍ଯ୍ୟ ପାଇଁ ଶୁଭ ଦେଇଥିଲେ। ଶୁଭାରମ୍ଭ ଫଳକରେ ବଡ଼ଚଣା ବିଧାୟକଙ୍କ ନାମ ଥିଲେ ମଧ୍ୟ ସେ ଉପସ୍ଥିତ ନଥିବା କୁହାଯାଉଛି। ଏହାକୁ ନେଇ ଉଭୟ ନିର୍ବାଚନମଣ୍ଡଳୀର ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି।

ପ୍ରାୟ ୭ କିଲୋମିଟର ଦୀର୍ଘ ଏହି ରାସ୍ତାରେ ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଥିବାରୁ ଯାତାୟାତରେ ସମସ୍ୟା ଦେଖାଦେଉଛି। ବର୍ଷା ସମୟରେ ରାସ୍ତାର ଅବସ୍ଥା ଅଧିକ ଖରାପ ହେଉଥିବା ଏବଂ ଯାତ୍ରୀମାନେ ଛୋଟବଡ଼ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ରହିଛି। ପ୍ରତିଦିନ ହଜାର ହଜାର ଲୋକ ଏହି ରାସ୍ତାରେ ଯାତାୟାତ କରୁଥିବାରୁ ଏହାର ମରାମତି ଓ ନିର୍ମାଣ ଜରୁରୀ ହୋଇପଡ଼ିଛି।

ଏହି ରାସ୍ତା ଐତିହାସିକ ଲଳିତଗିରି ବୌଦ୍ଧବିହାରକୁ ଯିବାର ଏକ ପ୍ରମୁଖ ମାର୍ଗ ହୋଇଥିବାରୁ ପର୍ଯ୍ୟଟକମାନେ ମଧ୍ୟ ଏହା ଉପରେ ନିର୍ଭର କରନ୍ତି। ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବା ବେଳେ ରାସ୍ତାର ଦୁରବସ୍ଥା ପର୍ଯ୍ୟଟକଙ୍କ ଯାତାୟାତକୁ ପ୍ରଭାବିତ କରିପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି।

ରାସ୍ତାର ଶୁଭାରମ୍ଭ ପରେ ଉଭୟ ବ୍ଲକର ତହସିଲଦାର ଆସି କେତେକ ସ୍ଥାନ ଚିହ୍ନଟ କରିଥିବା କୁହାଯାଉଛି। ତେବେ ଏହାପରେ ଆଉ କୌଣସି ଅଗ୍ରଗତି ହୋଇନଥିବା ଅଭିଯୋଗ ହୋଇଛି। ଟଙ୍କା ମଞ୍ଜୁର ଓ ଠିକାଦାର ନିଯୁକ୍ତି ପ୍ରକ୍ରିୟା ସରିଥିବା ସତ୍ତ୍ୱେ କାମ କାହିଁକି ଆରମ୍ଭ ହୋଇନାହିଁ, ତାହାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି।

ଅନ୍ୟପଟେ, ବିଧାୟକ, ପ୍ରଶାସନ ଓ ଠିକାଦାରଙ୍କ ମଧ୍ୟରେ ସମନ୍ୱୟ ଅଭାବ ଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ଏହି ଅଭିଯୋଗ ସମ୍ପର୍କରେ ସମ୍ପୃକ୍ତ ପକ୍ଷଙ୍କ ସ୍ପଷ୍ଟୀକରଣ ମିଳିନାହିଁ।

ରାସ୍ତା ନିର୍ମାଣ କେବଳ ଶୁଭାରମ୍ଭ ଫଳକରେ ସୀମିତ ନରହି ଶୀଘ୍ର ଆରମ୍ଭ ହେଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ଜନସାଧାରଣଙ୍କ ସୁରକ୍ଷା ଓ ଲଳିତଗିରି ପର୍ଯ୍ୟଟନସ୍ଥଳୀର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *