୧୯୯୯ ମହାବାତ୍ୟାରେ ପ୍ରାଣ ହରାଇଥିବାଙ୍କୁ ଶ୍ରଦ୍ଧାଞ୍ଜଳି; ବିପର୍ଯ୍ୟୟ ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ଉପରେ ଗୁରୁତ୍ୱ
କନ୍ଧମାଳ, (ଓଡ଼ିଶ୍ରୀ ସମ୍ବାଦ): ଅକ୍ଟୋବର ୨୯ ତାରିଖରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଅବସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱାତୀ’ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି। ଫୁଲବାଣୀସ୍ଥିତ ଅନୁଷ୍ଠାନର କାର୍ଯ୍ୟାଳୟରେ ସମ୍ପାଦକ ହରି ଶଙ୍କର ରାଉତଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ୧୯୯୯ ମସିହାର ଭୟାବହ ମହାବାତ୍ୟାକୁ ସ୍ମରଣ କରାଯିବା ସହ ସେହି ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ର ନିରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ଅନୁଷ୍ଠାନର ବରିଷ୍ଠ କର୍ମୀ ବିଶ୍ୱରଞ୍ଜନ କର ବିପର୍ଯ୍ୟୟ ସମୟରେ ନିଜକୁ କିପରି ସୁରକ୍ଷିତ ରଖିହେବ, ସେ ସମ୍ପର୍କରେ ବିଭିନ୍ନ ସୁରକ୍ଷା କୌଶଳ ଉପସ୍ଥାପନ କରିଥିଲେ। ଏଥିସହ କନ୍ଧମାଳ ଜିଲ୍ଲାରେ ସ୍ୱାତୀ ଅନୁଷ୍ଠାନ ପକ୍ଷରୁ କରାଯାଇଥିବା ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ କାର୍ଯ୍ୟର ବିବରଣୀ ମଧ୍ୟ ରଖିଥିଲେ।
୧୯୯୯ ମହାବାତ୍ୟା ପରେ ଓଡ଼ିଶା କିପରି ବିପର୍ଯ୍ୟୟ ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ କରିଛି ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ଗଠନ ମାଧ୍ୟମରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଦେଶ ଓ ଦେଶ ବାହାରେ ପ୍ରଶଂସା ହାସଲ କରିଛି, ସେ ସମ୍ପର୍କରେ ମଧ୍ୟ ସେ ଆଲୋକପାତ କରିଥିଲେ।
ସେହିପରି ଶିବସୁନ୍ଦର ସାହୁ କହିଥିଲେ ଯେ, ବିପର୍ଯ୍ୟୟ କେତେବେଳେ ଆସିବ ତାହା ଆଗୁଆ ଜଣାପଡ଼େ ନାହିଁ। ତେଣୁ ଏହାର ମୁକାବିଲା ପାଇଁ ବ୍ୟକ୍ତିଗତ ସତର୍କତା ସହ ସାମୂହିକ ପ୍ରସ୍ତୁତି ଓ ସମନ୍ୱିତ ପରିଚାଳନା ଜରୁରୀ ବୋଲି ସେ ମତ ଦେଇଥିଲେ।
ଅନୁଷ୍ଠାନର ସ୍ୱଧର୍ମ ରାଉତ ୧୯୯୯ ମହାବାତ୍ୟା ସମୟର ନିଜ ଅନୁଭୂତି ବାଣ୍ଟିବା ସହ ବିପର୍ଯ୍ୟୟର ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତିର ଗୁରୁତ୍ୱ ଉପରେ ମତ ରଖିଥିଲେ। ଶେଷରେ ସେ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିପ୍ର ଚରଣ ସାହୁ, ସନ୍ତୋଷ କୁମାର ମିଶ୍ର ଓ ସ୍ୱାଗତିକା ମାଝୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
