ଛତିଆ IDTRରେ ନିଯୁକ୍ତି ମେଳା, ୫ଟି ଜାପାନୀ କମ୍ପାନୀ ପକ୍ଷରୁ ଚୟନ
ବଡ଼ଚଣା/ଚଣ୍ଡିଖୋଲ, (ଓଡ଼ିଶ୍ରୀ ସମ୍ବାଦ): ଅଧ୍ୟବସାୟ ଓ ଦକ୍ଷତା ବଳରେ ବିଦେଶରେ କ୍ୟାରିୟର ଗଢ଼ିବାକୁ ଯାଉଛନ୍ତି ଓଡ଼ିଶାର ୮୦ରୁ ଊର୍ଦ୍ଧ୍ୱ ଭାରିଯାନ ଚାଳକ। ଯାଜପୁର ଜିଲ୍ଲାର ଛତିଆସ୍ଥିତ ରାଜ୍ୟ ଭାରିଯାନ ଚାଳକ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ (IDTR)ରେ ପ୍ରଶିକ୍ଷଣ ନେଇଥିବା ଏହି ଚାଳକମାନେ ଜାପାନର ବିଭିନ୍ନ ପରିବହନ କମ୍ପାନୀରେ ନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି। ସେଠାରେ ସେମାନଙ୍କୁ ଆକର୍ଷଣୀୟ ବେତନ ସହ ଅନ୍ୟାନ୍ୟ ସୁବିଧା ମିଳିବାର ସୁଯୋଗ ରହିଛି।
ବୁଧବାର ଛତିଆ IDTR ପରିସରରେ ଏକ ନିଯୁକ୍ତି ମେଳା ଆୟୋଜିତ ହୋଇଥିଲା। ବେଙ୍ଗାଲୁରୁସ୍ଥିତ ନାଭିସ୍ ଏଚ୍ଆର୍ ସଂସ୍ଥା ପକ୍ଷରୁ ଆୟୋଜିତ ଏହି ମେଳାରେ ଜାପାନର ପାଞ୍ଚଟି ପରିବହନ କମ୍ପାନୀର ପ୍ରତିନିଧିମାନେ ଯୋଗଦେଇଥିଲେ। ଏଥିସହ ଭାରତସ୍ଥିତ ଜାପାନ ଦୂତାବାସର ପ୍ରଥମ ସଚିବ ହିତୋଶି ଓଗିନୋ, ବରିଷ୍ଠ ସରକାରୀ ଅଧିକାରୀ ଏବଂ ଜାପାନରେ କ୍ୟାରିୟର ଗଢ଼ିବାକୁ ଆଗ୍ରହୀ ପ୍ରାୟ ୮୦ରୁ ଊର୍ଦ୍ଧ୍ୱ ଚାଳକ ଉପସ୍ଥିତ ଥିଲେ।
ରାଜ୍ୟ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ପରିବହନ ଆୟୁକ୍ତ (ବୈଷୟିକ) ସମରେନ୍ଦ୍ର ପଟ୍ଟନାୟକ, ଯୁଗ୍ମ ଆୟୁକ୍ତ ତଥା ଭୁବନେଶ୍ୱର ସରକାରୀ ଡିଟିଆଇର ପ୍ରିନ୍ସିପାଲ୍ ଗୋପାଳକୃଷ୍ଣ ଦାସ, ଛତିଆ ଡିଟିଆଇର ପ୍ରିନ୍ସିପାଲ୍ ସିଦ୍ଦିକ୍ ସୟେଦ୍ ଓ ଭାଇସ୍ ପ୍ରିନ୍ସିପାଲ୍ ହରିକୁମାର ପ୍ରମୁଖ ଉପସ୍ଥିତ ଥିଲେ।
ଜାପାନର ପରିବହନ ଶିଳ୍ପରେ ଭାରତୀୟ, ବିଶେଷକରି ଓଡ଼ିଶାର ଦକ୍ଷ ଚାଳକଙ୍କ ଚାହିଦା ରହିଥିବା କମ୍ପାନୀ ପ୍ରତିନିଧିମାନେ କହିଥିଲେ। ସେମାନେ ନିଜ ନିଜ କମ୍ପାନୀର କାର୍ଯ୍ୟଧାରା, ନିଯୁକ୍ତି ସୁଯୋଗ, ବେତନ ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ଚାଳକମାନଙ୍କୁ ଅବଗତ କରାଇଥିଲେ। ଏହି ମେଳାରେ ଛତିଆ ପ୍ରଶିକ୍ଷଣ ପ୍ରତିଷ୍ଠାନର ୮୦ ଜଣ ପ୍ରଶିକ୍ଷିତ ଓଡ଼ିଆ ଭାରିଯାନ ଚାଳକଙ୍କୁ ନିଯୁକ୍ତି ପାଇଁ ଚୟନ କରାଯାଇଥିବା ଜଣାପଡ଼ିଛି।
ପ୍ରତିଷ୍ଠାନର ପ୍ରିନ୍ସିପାଲ୍ଙ୍କ ସୂଚନା ଅନୁଯାୟୀ, ଏହା ପୂର୍ବରୁ ଏଠାରୁ ପ୍ରଶିକ୍ଷଣ ନେଇ ପ୍ରଥମ ପର୍ଯ୍ୟାୟରେ ୧୨ ଜଣ ଓ ଦ୍ୱିତୀୟ ପର୍ଯ୍ୟାୟରେ ୩୩ ଜଣ ଓଡ଼ିଆ ଚାଳକ ଜାପାନରେ ନିଯୁକ୍ତି ପାଇସାରିଛନ୍ତି।
ନୂତନ ଭାବେ ମନୋନୀତ ଚାଳକମାନଙ୍କୁ ନାଭିସ୍ ପକ୍ଷରୁ ପ୍ରଥମେ ବେଙ୍ଗାଲୁରୁଠାରେ ଜାପାନୀ ଭାଷା ଶିକ୍ଷା ସହ ବୃତ୍ତିଗତ ଓ ଓରିଏଣ୍ଟେସନ୍ ପ୍ରଶିକ୍ଷଣ ଦିଆଯିବ। ଏହି ପ୍ରଶିକ୍ଷଣ ଶେଷ ହେବା ପରେ ସେମାନେ ନିଯୁକ୍ତି ପାଇଁ ଜାପାନ ଯାତ୍ରା କରିବେ ବୋଲି ସୂଚନା ମିଳିଛି।
