ଯାଜପୁର/ବଡ଼ଚଣା, (ଓଡ଼ିଶ୍ରୀ ସମ୍ବାଦ): ଉଦ୍ଘାଟନର ବର୍ଷ ବର୍ଷ ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନାହିଁ ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପସ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ସିହାପୁରଠାରେ ନିର୍ମିତ ଏହି କ୍ୟାମ୍ପସର ସ୍ଥାୟୀ କୋଠା ଏବେ ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି। ପରିସରରେ ଅଳିଆ ଆବର୍ଜନା ଜମିଥିବା ବେଳେ ପାଚେରି ଓ ଅନ୍ୟାନ୍ୟ ଭିତ୍ତିଭୂମି ମଧ୍ୟ ନଷ୍ଟ ହେବାକୁ ବସିଛି। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କ୍ୟାମ୍ପସ କେବେ କାର୍ଯ୍ୟକ୍ଷମ ହେବ, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।
୨୦୧୪ରେ ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଘୋଷଣା ହୋଇଥିଲା। ୨୦୧୭ ଜୁଲାଇ ୩୧ରେ ୬୨.୩ ଏକର ଜମିରେ ଏହାର ଶିଳାନ୍ୟାସ କରାଯାଇଥିଲା। ଏହାପରେ ୨୦୧୯ ମାର୍ଚ୍ଚ ୨୬ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ବାରବାଟୀ କଟକସ୍ଥିତ ଚନ୍ଦ୍ରଶେଖରପୁର କଲେଜ ପରିସରରେ ଏହାର ଅସ୍ଥାୟୀ କ୍ୟାମ୍ପସ ଉଦ୍ଘାଟନ କରିଥିଲେ।
୨୦୧୮ରୁ ଅସ୍ଥାୟୀ କ୍ୟାମ୍ପସରେ ବିଏସ୍ସି ନର୍ସିଂ, ଏମ୍ଫିଲ୍, ଏମ୍ଏସ୍ଡବ୍ଲ୍ୟୁ ଓ ଏମ୍ଏଚ୍ଏମ୍ ଭଳି ପାଠ୍ୟକ୍ରମ ଚାଲିଥିଲା। ଏଠାରେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ। ହେଲେ ଗତ ଦୁଇ ବର୍ଷ ଧରି ସେଠାରେ ପାଠପଢ଼ା ବନ୍ଦ ରହିଛି। ଅସ୍ଥାୟୀ କ୍ୟାମ୍ପସ ପାଇଁ ବ୍ୟବହୃତ କୋଠାଟି ମଧ୍ୟ ଚନ୍ଦ୍ରଶେଖର କଲେଜକୁ ହସ୍ତାନ୍ତର ହୋଇନଥିବା ଜଣାପଡ଼ିଛି। ସେଠାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସକୁ ସ୍ଥାନାନ୍ତର କରାଯାଇଛି।
ଅନ୍ୟପକ୍ଷରେ ସ୍ଥାୟୀ କ୍ୟାମ୍ପସର ନିର୍ମାଣ କାର୍ଯ୍ୟ ୨୦୨୨ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରହିଥିଲା। ଏହାର ଭିତ୍ତିଭୂମି ନିର୍ମାଣ ପାଇଁ ୨୦୨୨ରେ ରାଜ୍ୟ ସରକାର ୧୪ କୋଟି ଟଙ୍କା ଅନୁଦାନ ଦେଇଥିବା ବେଳେ ଏହା ପୂର୍ବରୁ ୨.୫ କୋଟି ଟଙ୍କା ମିଳିଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଥିଲା। ଏହି ଅର୍ଥରେ ଏକାଡେମିକ୍ ଓ ପ୍ରଶାସନିକ ଭବନ ସହ ଛାତ୍ରାବାସ ନିର୍ମାଣ ହୋଇଥିଲା। କିନ୍ତୁ ନିର୍ମାଣ ପରେ ମଧ୍ୟ କ୍ୟାମ୍ପସଟି କାର୍ଯ୍ୟକ୍ଷମ ହୋଇପାରିନାହିଁ।
‘ସେଣ୍ଟର ଅଫ୍ ରୁରାଲ୍ ଷ୍ଟଡିଜ୍’ ନାମରେ ନିର୍ମିତ ଏକ ଭବନ ପାଇଁ ୫.୭୫ କୋଟି ଟଙ୍କା ବ୍ୟୟ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ୨୦୨୧ ଜୁଲାଇରେ ଏହାର ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ବିଦ୍ୟୁତ୍ ସଂଯୋଗ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଅସମ୍ପୂର୍ଣ୍ଣ ରହିଥିଲା। ବିଦ୍ୟୁତ୍ ସାମଗ୍ରୀ, ସାନିଟାରି ଫିଟିଂ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ନେଇ ସିଏନ୍ଇ ଅଫିସ୍ ରିପୋର୍ଟରେ ଉଲ୍ଲେଖ ଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି।
ଏକ ଶିକ୍ଷାନୁଷ୍ଠାନରେ ନିୟମିତ ଅଧ୍ୟାପକ, ପାଠାଗାର, ପରୀକ୍ଷାଗାର ଓ ଅନ୍ୟାନ୍ୟ ଶିକ୍ଷା ସହାୟକ ବ୍ୟବସ୍ଥା ରହିବା ଆବଶ୍ୟକ। କିନ୍ତୁ ଏହି କ୍ୟାମ୍ପସରେ ଏସବୁ ବ୍ୟବସ୍ଥା ଏଯାଏଁ ଉପଲବ୍ଧ ହୋଇନଥିବା ଅଭିଯୋଗ ହେଉଛି। ଗ୍ରାମୀଣ କ୍ୟାମ୍ପସ କାର୍ଯ୍ୟକ୍ଷମ ହୋଇନଥିବା ଏବଂ ଅସ୍ଥାୟୀ କ୍ୟାମ୍ପସରେ ପାଠପଢ଼ା ବନ୍ଦ ହୋଇଯାଇଥିବାରୁ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଆଶା ଅଧୁରା ରହିଥିବା ସ୍ଥାନୀୟ ମହଲରେ ମତ ପ୍ରକାଶ ପାଇଛି।
ଏନେଇ ବଡ଼ଚଣା ବିଧାୟକ ଅମର ନାୟକ କହିଛନ୍ତି ଯେ, ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପସ କୋଠା ଏଯାଏଁ ସମ୍ପୃକ୍ତ ବିଭାଗକୁ ହସ୍ତାନ୍ତର ହୋଇନାହିଁ। ଏନେଇ ସେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସହ ବାରମ୍ବାର ଆଲୋଚନା କରିବା ସହ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଏକାଧିକ ବୈଠକ କରିଛନ୍ତି। କ୍ୟାମ୍ପସକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି।
