ପ୍ରତି ବୁଧବାରରୁ ଶନିବାର ସକାଳ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ରହିବ ଘାଟି ରାସ୍ତା
ବାରିପଦା, (ଓଡ଼ିଶ୍ରୀ ସମ୍ବାଦ): ଦ୍ୱାରଶୁଣୀ ଘାଟି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ପାଇଁ ଯାତାୟାତ କଟକଣା ଅବଧିକୁ ପୁଣି ବୃଦ୍ଧି କରାଯାଇଛି। ନଭେମ୍ବର ୪ରୁ ୨୮ ତାରିଖ ପର୍ଯ୍ୟନ୍ତ ପ୍ରତି ସପ୍ତାହର ବୁଧବାରରୁ ଶନିବାର ଦିନ ୧୧ଟାରୁ ଅପରାହ୍ନ ୪ଟା ଯାଏଁ ଅର୍ଥାତ୍ ୫ ଘଣ୍ଟା ପାଇଁ ଏହି ଘାଟି ରାସ୍ତାରେ ଯାତାୟାତ ବନ୍ଦ ରହିବ।
ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ପାଇଁ ପଥର ବିସ୍ଫୋରଣ କରାଯିବାକୁ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏହି କଟକଣା ଜାରି କରିଛି। ନିର୍ଦ୍ଧାରିତ ସମୟରେ ଦ୍ୱାରଶୁଣୀ ଘାଟିକୁ ସଂଯୋଗ କରୁଥିବା ବାଙ୍ଗିରିପୋଷି ଓ ବିଶୋଇ ପାର୍ଶ୍ୱର ଉଭୟ ପ୍ରବେଶ ପଥ ବନ୍ଦ ରହିବ। ଏହି ସମୟରେ ସମସ୍ତ ଯାନବାହନ ଓ ପଥଚାରୀଙ୍କ ଯାତାୟାତ ଉପରେ ରୋକ୍ ଲଗାଯାଇଛି। ଏଥିସହ ଘାଟି ନିକଟରେ ଗାଈ ଓ ଛେଳି ଚରାଇବା ମଧ୍ୟ ନିଷେଧ କରାଯାଇଛି।
ତେବେ ଆମ୍ବୁଲାନ୍ସ, ଦମକଳ ଏବଂ ଅନ୍ୟ ଜରୁରୀକାଳୀନ ଯାନଗୁଡ଼ିକୁ ରାସ୍ତା ନିର୍ମାଣକାରୀ ସଂସ୍ଥା ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ଅନୁମତି ପରେ ଯାତାୟାତ ପାଇଁ ଛଡ଼ାଯିବ। କଟକଣା ସମୟରେ ସାଧାରଣ ଯାନବାହନ ଓ ପରିବହନକାରୀ ଗାଡ଼ିଗୁଡ଼ିକୁ ନିର୍ଦ୍ଧାରିତ ପାର୍କିଂ ସ୍ଥାନରେ ଅପେକ୍ଷା କରିବାକୁ ପଡ଼ିବ। କଟକଣା ହଟିବା ପରେ ପ୍ରଥମେ ସାଧାରଣ ଲୋକଙ୍କ ଯାନବାହନକୁ ଯାତାୟାତ ପାଇଁ ପ୍ରାଥମିକତା ଦିଆଯିବ।
ଏହି ସମୟରେ କ୍ଷୁଦ୍ର ଯାନ ବ୍ୟବହାରକାରୀମାନେ ବିଶୋଇ-ଅର୍ଗଳବିନ୍ଦା-ଶଙ୍ଖାଭଙ୍ଗା-ଯୋକା-ଚନ୍ଦନପୁର-କତରା ଛକ ରାସ୍ତାକୁ ବିକଳ୍ପ ମାର୍ଗ ଭାବେ ବ୍ୟବହାର କରିପାରିବେ।
କଟକଣା ସମୟରେ ଯେକୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ବିଶୋଇ ଓ ବାଙ୍ଗିରିପୋଷି ଥାନାକୁ ଆବଶ୍ୟକ ପୋଲିସ ମୁତୟନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି। ତେଣୁ ଯାତ୍ରୀ ଓ ଗାଡ଼ିଚାଳକମାନେ ନିର୍ଦ୍ଧାରିତ ସମୟକୁ ଧ୍ୟାନରେ ରଖି ନିଜ ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି।
