କୋଟିଆ ବିବାଦ, ବନ୍ୟା କ୍ଷତିପୂରଣ ଓ ଖଣି ନୀତିକୁ ନେଇ ସରକାରଙ୍କୁ ଘେରିଲେ ପିସିସି ସଭାପତି
ଭୁବନେଶ୍ୱର, (ଓଡ଼ିଶ୍ରୀ ସମ୍ବାଦ): ରାଜ୍ୟରେ ସରକାରୀ ବ୍ୟବସ୍ଥାର ସମନ୍ୱୟ ନାହିଁ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱରେ ଥିବା ଜଳସମ୍ପଦ ଓ ଗୃହ ବିଭାଗର କାର୍ଯ୍ୟଧାରା ନୈରାଶ୍ୟଜନକ ବୋଲି ଅଭିଯୋଗ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ। ବୁଧବାର କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ରାଜ୍ୟ ସରକାରଙ୍କ ବନ୍ୟା ପରିଚାଳନା, ଚାଷୀଙ୍କୁ କ୍ଷତିପୂରଣ, କୋଟିଆ ବିବାଦ ଓ ଖଣି ନୀତିକୁ ନେଇ ଏକାଧିକ ପ୍ରଶ୍ନ ଉଠାଇଥିଲେ।
ଶ୍ରୀ ଦାସଙ୍କ ଅଭିଯୋଗ ଅନୁଯାୟୀ, ବାତ୍ୟା ଓ ବନ୍ୟା ସମ୍ପର୍କରେ ଆଗୁଆ ସୂଚନା ମିଳିଥିଲେ ମଧ୍ୟ ଡ୍ୟାମ୍ଗୁଡ଼ିକରୁ ଠିକ୍ ସମୟରେ ଜଳ ନିଷ୍କାସନ କରାଯାଇନଥିଲା। ଏହା ଫଳରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ଲକ୍ଷାଧିକ ଲୋକ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବା ସେ କହିଥିଲେ। ଏଥିପାଇଁ ଦାୟୀ ଯନ୍ତ୍ରୀ ଓ ଅଧିକାରୀଙ୍କ ବିରୋଧରେ ଜଳସମ୍ପଦ ବିଭାଗୀୟ ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ କଠୋର ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଥିଲେ। ଏଥିସହ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ମନ୍ତ୍ରୀମାନେ ରହି ରିଲିଫ୍ ଓ ପୁନର୍ବାସ କାର୍ଯ୍ୟର ତଦାରଖ କରିବାକୁ ସେ ଆହ୍ୱାନ ଦେଇଥିଲେ।
ଚାଷୀଙ୍କ କ୍ଷତିପୂରଣକୁ ନେଇ ପ୍ରଶ୍ନ
ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସରକାର ଘୋଷଣା କରିଥିବା ସହାୟତା ଯଥେଷ୍ଟ ନୁହେଁ ବୋଲି ଭକ୍ତ ଚରଣ ଦାସ ଅଭିଯୋଗ କରିଥିଲେ। ଏକର ପିଛା ଅତି କମ୍ରେ ୨୦ କ୍ୱିଣ୍ଟାଲ ଧାନ ଅମଳ ଏବଂ ପ୍ରଚଳିତ ଏମ୍ଏସ୍ପି ଆଧାରରେ ଚାଷୀଙ୍କ ଉତ୍ପାଦନ ମୂଲ୍ୟ ପ୍ରାୟ ୬୨ ହଜାର ଟଙ୍କା ହେବ ବୋଲି ସେ ହିସାବ ଦେଇଥିଲେ। ଏହା ତୁଳନାରେ ସରକାରଙ୍କ ସହାୟତା ଅତି କମ୍ ବୋଲି କହିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଅନ୍ତତଃ ୫୦ ପ୍ରତିଶତ କ୍ଷତିପୂରଣ ଦେବାକୁ ସେ ଦାବି କରିଥିଲେ।
କୋଟିଆ ପ୍ରସଙ୍ଗରେ ଉଭୟ ସରକାରଙ୍କୁ ସମାଲୋଚନା
କୋଟିଆ ବିବାଦକୁ ନେଇ ଶ୍ରୀ ଦାସ କହିଥିଲେ ଯେ, ପୂର୍ବତନ ବିଜେଡି ସରକାରର ୨୪ ବର୍ଷର ଶାସନ କାଳରେ ଏହି ପ୍ରସଙ୍ଗକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇନଥିଲା। ବର୍ତ୍ତମାନର ବିଜେପି ସରକାର ମଧ୍ୟ ଅଢ଼େଇ ବର୍ଷ ଧରି ନିଷ୍କ୍ରିୟ ରହିଥିବା ସେ ଅଭିଯୋଗ କରିଥିଲେ। କଂଗ୍ରେସ କୋଟିଆରେ ଆନ୍ଧ୍ରର ହସ୍ତକ୍ଷେପକୁ ବିରୋଧ କରିବା ପରେ ରାଜ୍ୟ ସରକାର ସକ୍ରିୟ ହୋଇଥିବା ସେ ଦାବି କରିଥିଲେ।
ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ବଜାୟ ରଖିବା ସମ୍ପର୍କିତ ନିର୍ଦ୍ଦେଶକୁ ଠିକ୍ ଭାବେ ପାଳନ କରାଇବା ବର୍ତ୍ତମାନର ସରକାରଙ୍କ ଦାୟିତ୍ୱ ବୋଲି ସେ କହିଥିଲେ। କୋଟିଆ ପ୍ରସଙ୍ଗରେ କଂଗ୍ରେସ ରାଜ୍ୟ ଓ ରାଜ୍ୟବାସୀଙ୍କ ସହ ରହିଛି ଏବଂ ଏହି ସଙ୍କଟର ମୁକାବିଲା ପାଇଁ ସମସ୍ତ ରାଜନୈତିକ ଦଳ ଏକାଠି ହେବା ଆବଶ୍ୟକ ବୋଲି ତାଙ୍କ ମତ ରଖିଥିଲେ।
ଖଣି ଓ ବିସ୍ଥାପିତଙ୍କ ପ୍ରସଙ୍ଗ ଉଠାଇଲେ
ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଭକ୍ତ ଚରଣ ଦାସ ରାଜ୍ୟ ସରକାରଙ୍କୁ ପୁଞ୍ଜିପତିଙ୍କ ସ୍ୱାର୍ଥରକ୍ଷା କରୁଥିବା ସରକାର ବୋଲି ଅଭିଯୋଗ କରିଥିଲେ। ରାଜ୍ୟର ଖଣିଜ ସମ୍ପଦକୁ ଶିଳ୍ପପତିଙ୍କୁ କମ୍ ମୂଲ୍ୟରେ ହସ୍ତାନ୍ତର କରାଯାଉଥିବା ନେଇ ସେ ପ୍ରଶ୍ନ ଉଠାଇଥିଲେ। ଖଣି ଓ ଶିଳ୍ପ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହେଉଥିବା ଲୋକଙ୍କ ସମସ୍ୟାର ସମାଧାନ ପ୍ରଥମେ କରାଯାଉ। ନଚେତ୍ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଥିଲେ।
ସାମ୍ବାଦିକ ସମ୍ମିଳନୀରେ ଭକ୍ତ ଚରଣ ଦାସଙ୍କ ଏହି ମନ୍ତବ୍ୟ ରାଜ୍ୟର ବନ୍ୟା ପରିଚାଳନା, କୋଟିଆ ବିବାଦ ଓ ଖଣି ନୀତିକୁ ନେଇ ରାଜନୈତିକ ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି।
