ଅଳ୍ପକେ ବର୍ତ୍ତିଲେ ପାହାଡ଼ ପାଦଦେଶରେ ଥିବା ଗ୍ରାମବାସୀ; ପ୍ରଶାସନ ପକ୍ଷରୁ ସତର୍କତା
ମାଲକାନଗିରି, (ଓଡ଼ିଶ୍ରୀ ସମ୍ବାଦ): ବାତ୍ୟା ‘ମୁରାସୁ’ ପରବର୍ତ୍ତୀ ଲଗାଣ ବର୍ଷାର ପ୍ରଭାବରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଅନ୍ତର୍ଗତ ନାୟକଗୁଡ଼ା ପଞ୍ଚାୟତର ପୁରୀଗୁଡ଼ା ପାହାଡ଼ରେ ଭୂସ୍ଖଳନ ହୋଇଛି। ପାହାଡ଼ରୁ ମାଟି ଅତଡ଼ା ସହ ବଡ଼ ବଡ଼ ପଥର ତଳକୁ ଖସି ଆସିବାରୁ ପାହାଡ଼ ପାଦଦେଶରେ ଥିବା ପୁରୀଗୁଡ଼ା ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଗତ ତିନି ଦିନ ଧରି ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ଆଜି ସକାଳେ ପାହାଡ଼ରୁ ପ୍ରଚଣ୍ଡ ଶବ୍ଦ ସହ ଦୁଇଟି ବଡ଼ ପଥର ପରସ୍ପର ମଧ୍ୟରେ ଧକ୍କା ହୋଇ ଧୂଳିର ଆସ୍ତରଣ ସୃଷ୍ଟି କରିଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ପଥର ପାହାଡ଼ ତଳକୁ ଖସିଥିଲା। ଏହି ଦୃଶ୍ୟ ଦେଖି ପାହାଡ଼ ପାଦଦେଶରେ ରହୁଥିବା ଗ୍ରାମବାସୀ ଭୟଭୀତ ହୋଇ ତୁରନ୍ତ ସୁରକ୍ଷିତ ଦୂରତାକୁ ଚାଲିଯାଇଥିଲେ।
ଗ୍ରାମଟି ପାହାଡ଼ର ନିକଟରେ ଅବସ୍ଥିତ ହୋଇଥିବାରୁ ପୁନର୍ବାର ଭୂସ୍ଖଳନ ହେବା ଆଶଙ୍କା ନେଇ ଗ୍ରାମବାସୀ ଚିନ୍ତିତ ଅଛନ୍ତି। ତେବେ ଏହି ଘଟଣାରେ କୌଣସି ଜୀବନହାନି କିମ୍ବା ଧନସମ୍ପତ୍ତିର କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି।
ବର୍ଷା ଜାରି ରହିଥିବାରୁ ପାହାଡ଼ ନିକଟକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ସତର୍କ କରାଯାଇଛି। ମାଥିଲି ବ୍ଲକ୍ ଅଧିକାରୀ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ଏବଂ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ପ୍ରଶାସନ କି ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
