ଦୁଇ ଦିନିଆ କାର୍ଯ୍ୟକ୍ରମରେ ୨୦୧ ଅଧିକାରୀ ଓ କର୍ମଚାରୀ ତାଲିମପ୍ରାପ୍ତ; ମୋବାଇଲ୍ ଆପ୍ରେ ଅନଲାଇନ୍ ତଥ୍ୟ ସଂଗ୍ରହ ଉପରେ ଗୁରୁତ୍ୱ
କେନ୍ଦୁଝର, (ଓଡ଼ିଶ୍ରୀ ସମ୍ବାଦ): ଚଳିତ କୃଷି ବର୍ଷ ୨୦୨୬-୨୭ର ଖରିଫ୍ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ ଶସ୍ୟ କାଟ ପରୀକ୍ଷଣ (Crop Cutting Experiment–CCE) ସମ୍ପର୍କିତ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦରବାର ହଲ୍ରେ ଅନୁଷ୍ଠିତ ହୋଇଛି। ନଭେମ୍ବର ୩ ଓ ୪ ତାରିଖରେ ଦୁଇଟି ବ୍ୟାଚ୍ରେ ଆୟୋଜିତ ଏହି ତାଲିମରେ ମୋଟ ୨୦୧ ଜଣ ଅଧିକାରୀ ଓ କର୍ମଚାରୀ ଭାଗ ନେଇଛନ୍ତି।
ପ୍ରଥମ ଦିନ ନଭେମ୍ବର ୩ରେ ଆନନ୍ଦପୁର, ଘଷିପୁରା, ହରିଚନ୍ଦନପୁର, ହାଟଡିହି, ପାଟଣା, ସାହାରପଡ଼ା ଓ ତେଲକୋଇ ବ୍ଲକ୍ର ୧୦୬ ଜଣଙ୍କୁ ତାଲିମ ଦିଆଯାଇଥିଲା। ଦ୍ୱିତୀୟ ଦିନ ନଭେମ୍ବର ୪ରେ ବାଂଶପାଳ, ଚମ୍ପୁଆ, ଘଟଗାଁ, ଝୁମ୍ପୁରା, ଯୋଡ଼ା ଓ କେନ୍ଦୁଝର ସଦର ବ୍ଲକ୍ର ୯୫ ଜଣ ତାଲିମ ନେଇଥିଲେ।
ଏହି କାର୍ଯ୍ୟକ୍ରମରେ ଶସ୍ୟ କାଟ ପରୀକ୍ଷଣ କାର୍ଯ୍ୟରେ ନିୟୋଜିତ ଜିଲ୍ଲାର ବିଭିନ୍ନ ତହସିଲର ୫୩ ଜଣ ରାଜସ୍ୱ ନିରୀକ୍ଷକ ଓ ସହକାରୀ ରାଜସ୍ୱ ନିରୀକ୍ଷକ, ବ୍ଲକ୍ସ୍ତରର ୧୧୮ ଜଣ କୃଷି ଓଭରସିୟର ଓ ଭିଏଡବ୍ଲୁ ଏବଂ ୩୦ ଜଣ ଗୋଷ୍ଠୀ ପରିସଂଖ୍ୟାନ ଅଧିକାରୀ, ପରିସଂଖ୍ୟାନ ପର୍ଯ୍ୟବେକ୍ଷକ ଓ କ୍ଷେତ୍ର ସର୍ଭେୟର ଯୋଗ ଦେଇଥିଲେ।
ଚଳିତ ବର୍ଷ ହରିଚନ୍ଦନପୁର ବ୍ଲକ୍ର ଦଇତାରୀ ଓ ଯୋଡ଼ା ବ୍ଲକ୍ର ଜୁରୁଡ଼ି ପଞ୍ଚାୟତକୁ ବାଦ୍ ଦେଇ ଜିଲ୍ଲାର ଅନ୍ୟ ୨୯୫ଟି ପଞ୍ଚାୟତ ସହ ସମସ୍ତ ୫ଟି ପୌରାଞ୍ଚଳ ଓ ଏନ୍ଏସିରେ ମୋବାଇଲ୍ ଆପ୍ ମାଧ୍ୟମରେ ଅନଲାଇନ୍ ଶସ୍ୟ କାଟ ପରୀକ୍ଷଣ କରାଯିବ। ଏହା ମାଧ୍ୟମରେ ଧାନ ଉତ୍ପାଦନ ସମ୍ପର୍କିତ ତଥ୍ୟ ସଂଗ୍ରହ କରି ଫର୍ମ-୮ରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ।
ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଏହି ତାଲିମ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ସଠିକ୍ ସମୟରେ ଓ ନିର୍ଦ୍ଧାରିତ ପଦ୍ଧତି ଅନୁସାରେ ମୋବାଇଲ୍ ଆପ୍ ମାଧ୍ୟମରେ ଶସ୍ୟ କାଟ ପରୀକ୍ଷଣ କରିବାକୁ ପରାମର୍ଶ ଦେଇଥିଲେ। ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କବିତା ବେହେରା ଓ ଯୋଜନା ଓ ପରିସଂଖ୍ୟାନ ଉପନିର୍ଦ୍ଦେଶକ ଗଜେନ୍ଦ୍ର କୁମାର ବେହେରା ମଧ୍ୟ ତାଲିମପ୍ରାପ୍ତ କର୍ମଚାରୀମାନଙ୍କୁ କ୍ଷେତ୍ରସ୍ତରରେ ସଠିକ୍ ତଥ୍ୟ ସଂଗ୍ରହ କରି ଫର୍ମ-୮ରେ ରିପୋର୍ଟ ଦେବାକୁ ପରାମର୍ଶ ଦେଇଥିଲେ।
ଓଡ଼ିଶା ସରକାରଙ୍କ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ, ଜିଲ୍ଲା ପ୍ରଶାସନ ଓ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ସହଯୋଗରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ ପକ୍ଷରୁ ଏହି ତାଲିମ ଆୟୋଜନ କରାଯାଇଥିଲା।
ମାଷ୍ଟର ଟ୍ରେନର ଭାବେ ପରିସଂଖ୍ୟାନ ସହକାରୀ ନିର୍ଦ୍ଦେଶକ ସମିତ୍ କୁମାର ଘୋଷ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର ଯୋଜନା ଅଧିକାରୀ ତଥା ସହକାରୀ କୃଷି ଅଧିକାରୀ ଦୀପାଞ୍ଜଳୀ ମହାପାତ୍ର ଏବଂ ଜେନେରାଲ୍ ସେଣ୍ଟ୍ରାଲ୍ ଇନ୍ସୁରାନ୍ସ କମ୍ପାନୀର ଜିଲ୍ଲା ସଂଯୋଜକ ସୌଭାଗ୍ୟ କୁମାର ଦାସ ତାଲିମ ପ୍ରଦାନ କରିଥିଲେ। ଶେଷରେ ପରିସଂଖ୍ୟାନ ଅଧିକାରୀ ଅନୁପମା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମ ପରିଚାଳନାରେ ସହକାରୀ ପରିସଂଖ୍ୟାନ ଅଧିକାରୀ କାଜଲ ବେହେରା, ବରିଷ୍ଠ ଅର୍ଥନୀତି ଅନୁସନ୍ଧାନକାରୀ ମାଧୁରୀପ୍ରିୟା ହନାଗା, ପ୍ରଶାନ୍ତ ପ୍ରଧାନ, ଉପବିଭାଗ ଅଧିକାରୀ ଆଲୋକ କୁମାର ସାହୁ, ଦୋଳମଣି ହଂସ, ବିଷ୍ଣୁପ୍ରିୟା ଓଝାଙ୍କ ସମେତ କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ।
