• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଏକଲବ୍ୟ ବିଦ୍ୟାଳୟ ନିର୍ମାଣକୁ ନେଇ ବିବାଦ: ସାରଙ୍ଗଡ଼ରେ ୧୨ ଏକର ଜମି ଥାଇ ବି ମିଳିଲାନି ଅନୁମତି!

Byodishri Live

Nov 5, 2026

ନୂଆରାଜଘରାରେ ଗଛ କଟାକୁ ନେଇ ଅସନ୍ତୋଷ; ପ୍ରଶାସନର ନିଷ୍ପତ୍ତି ଓ ଅନୁମତିର ସ୍ୱଚ୍ଛତା ଉପରେ ପ୍ରଶ୍ନ

ବାଲିଗୁଡ଼ା, (ଓଡ଼ିଶ୍ରୀ ସମ୍ବାଦ): ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଓ ଆବାସିକ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ମଞ୍ଜୁର ହୋଇଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS) ନିର୍ମାଣକୁ ନେଇ କନ୍ଧମାଳ ଜିଲ୍ଲାର କ. ନୂଆଗାଁ ବ୍ଲକ୍‌ରେ ବିବାଦ ଦେଖାଦେଇଛି। ସାରଙ୍ଗଡ଼ ଅଞ୍ଚଳରେ ପ୍ରାୟ ୧୨ ଏକର ସରକାରୀ ଜମି ଉପଲବ୍ଧ ଥିବା ସତ୍ତ୍ୱେ ସେଠାରେ ବିଦ୍ୟାଳୟ ନିର୍ମାଣକୁ ଅନୁମତି ମିଳିନଥିବା ବେଳେ ନୂଆରାଜଘରାରେ ଗଛ କଟାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସାରଙ୍ଗଡ଼ ମୁଖ୍ୟ ଅଞ୍ଚଳରେ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରାୟ ୧୨ ଏକର ସରକାରୀ ଜମି ଉପଲବ୍ଧ ଥିଲା। କିନ୍ତୁ ଜଙ୍ଗଲ ମଞ୍ଜୁରୀ ଓ ପରିବେଶଗତ ସମସ୍ୟା ଦର୍ଶାଇ ସେଠାରେ ନିର୍ମାଣ ସମ୍ଭବ ନୁହେଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଫଳରେ ପ୍ରକଳ୍ପକୁ ନୂଆରାଜଘରାକୁ ସ୍ଥାନାନ୍ତର କରାଯାଇଥିବା ସେମାନେ କହିଛନ୍ତି।

ଅନ୍ୟପକ୍ଷରେ, ନଭେମ୍ବର ୧୫ ତାରିଖରେ ବିଦ୍ୟାଳୟର ଶିଳାନ୍ୟାସ ଉତ୍ସବ ହେବାକୁ ଥିବାରୁ ନୂଆରାଜଘରାରେ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ଅଭିଯୋଗ ଅନୁସାରେ, ଗତ ଚାରିଦିନ ଧରି ଚିହ୍ନଟ ସ୍ଥାନରେ ୬ଟି କଟର ମେସିନ୍‌ ନିୟୋଜିତ କରାଯାଇ ଗଛ କଟାଯାଉଛି। ଏହାକୁ ଦେଖି ସ୍ଥାନୀୟ ଲୋକେ ଆପତ୍ତି ଉଠାଇବା ସହ ଗଛ କାଟିବା ପାଇଁ କେଉଁ ଅନୁମତି ମିଳିଛି ବୋଲି ପ୍ରଶ୍ନ କରିଛନ୍ତି। କାର୍ଯ୍ୟରତ ଶ୍ରମିକମାନେ ଜିଲ୍ଲାପାଳ ଓ ଡିଏଫ୍‌ଓଙ୍କ ମିଳିତ ନିର୍ଦ୍ଦେଶ ଏବଂ ଅନୁମତି ଆଧାରରେ ଗଛ କାଟୁଥିବା କହିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ଏହି ଘଟଣାକୁ ନେଇ ସାରଙ୍ଗଡ଼ ଆଞ୍ଚଳିକ କମିଟି ପ୍ରଶାସନର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛି। ସାରଙ୍ଗଡ଼ରେ ଜଙ୍ଗଲ ଓ ପରିବେଶ ସୁରକ୍ଷା ଦର୍ଶାଇ ନିର୍ମାଣକୁ ବାଧା ଦିଆଯାଇଥିବା ବେଳେ ନୂଆରାଜଘରାରେ ଗଛ କାଟିବାକୁ କେଉଁ ନିୟମ ଆଧାରରେ ଅନୁମତି ଦିଆଗଲା, ତାହାର ସ୍ପଷ୍ଟୀକରଣ ଦାବି କରିଛି କମିଟି। ଏଥିସହ ଗଛ କାଟିବା ପୂର୍ବରୁ ସମସ୍ତ ଆବଶ୍ୟକ ଆଇନଗତ ଅନୁମତି ନିଆଯାଇଛି କି ନାହିଁ, ସେ ସମ୍ପର୍କରେ ତଥ୍ୟ ସାର୍ବଜନୀନ କରିବାକୁ ଦାବି ହୋଇଛି।

ତେବେ ବିଦ୍ୟାଳୟ ପ୍ରତିଷ୍ଠାକୁ ଅଞ୍ଚଳବାସୀ ବିରୋଧ କରୁନାହାନ୍ତି। କିନ୍ତୁ ଏହାର ନିର୍ମାଣ ପାଇଁ ଜଙ୍ଗଲ ଓ ପରିବେଶର କେତେ କ୍ଷତି ହେଉଛି ଏବଂ ଉଭୟ ସ୍ଥାନରେ ଜମି ଚୟନ ସମୟରେ କେଉଁ ମାନଦଣ୍ଡ ଅନୁସରଣ କରାଯାଇଛି, ତାହା ସ୍ପଷ୍ଟ ହେବା ଆବଶ୍ୟକ ବୋଲି ସେମାନେ ମତ ଦେଇଛନ୍ତି।

ନୂଆରାଜଘରାରେ ଚାଲିଥିବା ଗଛ କଟା ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ଜମି ଚୟନ, ଗଛ କାଟିବା ପାଇଁ ମିଳିଥିବା ଅନୁମତି ଓ ପରିବେଶଗତ ମୂଲ୍ୟାଙ୍କନ ସମ୍ପର୍କିତ ସମସ୍ତ ତଥ୍ୟ ସାର୍ବଜନୀନ କରିବାକୁ ସାରଙ୍ଗଡ଼ ଆଞ୍ଚଳିକ କମିଟି ଦାବି କରିଛି। ଏନେଇ ଜିଲ୍ଲା ପ୍ରଶାସନ ଓ ବନ ବିଭାଗର ପ୍ରତିକ୍ରିୟାକୁ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *