• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ମାଲକାନଗିରିରେ ବିଜେପିର ମିଶ୍ରଣ ପର୍ବ: ୬ ପଞ୍ଚାୟତର ୪୦୦ରୁ ଊର୍ଦ୍ଧ୍ୱ କର୍ମୀଙ୍କ ଯୋଗଦାନ

Byodishri Live

Nov 5, 2026

ପାଣ୍ଡ୍ରିପାଣି ମଣ୍ଡଳର ବରଜା ହାଟରେ କାର୍ଯ୍ୟକ୍ରମ; ବିଜେଡି ଓ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେଲେ କର୍ମୀ

ମାଲକାନଗିରି, (ଓଡ଼ିଶ୍ରୀ ସମ୍ବାଦ): ମାଲକାନଗିରି ଜିଲ୍ଲାର ପାଣ୍ଡ୍ରିପାଣି ମଣ୍ଡଳ ଅନ୍ତର୍ଗତ ବରଜା ସାପ୍ତାହିକ ହାଟଠାରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ୬ଟି ଗ୍ରାମ ପଞ୍ଚାୟତରୁ ବିଜେଡି ଓ କଂଗ୍ରେସର ୪୦୦ରୁ ଊର୍ଦ୍ଧ୍ୱ ନେତା ଓ କର୍ମୀ ନିଜ ଦଳ ଛାଡ଼ି ବିଜେପିରେ ଯୋଗଦେଇଥିବା ଦଳ ପକ୍ଷରୁ କୁହାଯାଇଛି।

ପେଦାୱାଡ଼ା, ସେରପଲ୍ଲୀ, ପାଣ୍ଡ୍ରିପାଣି, ମାର୍କାପଲ୍ଲୀ, ଗଙ୍ଗଲା ଓ ବୀର ଲକ୍ଷ୍ମଣପୁର ପଞ୍ଚାୟତରୁ ବହୁ ସ୍ଥାନୀୟ ନେତା ଓ କର୍ମୀ ଏହି ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ପର୍ଶୁରାମ ବରଜା, ହାତିରାମ ପୁଟିଆ, ମାଧବ ପୁଟିଆ, ଅଜିତ କୋପେ, ରାତୁ କୁଲେଶି, ମହାଦେବ ମାଡ଼କାମୀ ଓ ଲଖିନାଥ ମୁଦୁଲିଙ୍କ ନାମ ରହିଛି।

କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ଯୋଗଦେଇ ନୂତନ ଭାବେ ଦଳରେ ସାମିଲ ହୋଇଥିବା କର୍ମୀ ଓ ନେତାଙ୍କୁ ଉତ୍ତରୀୟ ଏବଂ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ।

ଏହି ଅବସରରେ ବିଧାୟକ ମାଡ଼କାମୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସବକା ସାଥ୍‌, ସବକା ବିକାଶ’ ମନ୍ତ୍ର ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାରର ବିକାଶମୂଳକ କାର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ଲୋକେ ବିଜେପିରେ ଯୋଗଦେଉଛନ୍ତି।

ଏଥିରେ ପାଣ୍ଡ୍ରିପାଣି ମଣ୍ଡଳ ସଭାପତି ହଳଧର ୱାଙ୍କଡ଼, ପୂର୍ବତନ ଜିଲ୍ଲା ଉପସଭାପତି ଯୋଗିଆ ୱାଙ୍କଡ଼, ବିଜେପି ଜିଲ୍ଲା ସମ୍ପାଦକ ନିହାର ରାୟ, ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର, ରାମ ମାଡ଼କାମୀ, ମାଧବ ମାଡ଼କାମୀ ଓ ଶିଶିର ହାଲଦାରଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

୬ଟି ପଞ୍ଚାୟତରୁ ୪୦୦ରୁ ଊର୍ଦ୍ଧ୍ୱ କର୍ମୀଙ୍କ ଯୋଗଦାନ ଫଳରେ ଅଞ୍ଚଳରେ ଦଳୀୟ ସଂଗଠନ ଅଧିକ ସୁଦୃଢ଼ ହେବ ବୋଲି ବିଜେପି ନେତୃବୃନ୍ଦ ଆଶା ପ୍ରକାଶ କରିଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ଯୋଗଦାନ ଦଳକୁ ନୂତନ ଶକ୍ତି ଯୋଗାଇବ ବୋଲି ସେମାନେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *