• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଦମଡ଼ାରେ ରାସ୍ତା ଦୁର୍ଦ୍ଦଶା: ଖଟିଆରେ ବୁହାହେଲେ ଗୁରୁତର ରୋଗୀ, ଅଧାବାଟରେ ଅଟକିଲା ଗାଡ଼ି

Byodishri Live

Sep 18, 2026

ବୌଦ୍ଧ (ଓଡ଼ିଶ୍ରୀ ସମ୍ବାଦ): ଗାଁକୁ ଯିବା ରାସ୍ତାରେ ନାଳ ଓ କାଦୁଅ ଯୋଗୁଁ ଜରୁରୀ ସମୟରେ ଗାଡ଼ି ପହଞ୍ଚିପାରିନଥିବାରୁ ଜଣେ ଗୁରୁତର ରୋଗୀଙ୍କୁ ଖଟିଆରେ ବୋହି ନାଳ ଓ କାଦୁଅ ରାସ୍ତା ପାର କରାଯାଇଥିବା ଅଭିଯୋଗ ହୋଇଛି। ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଟିକରପଡ଼ା ପଞ୍ଚାୟତ ଅଧୀନ ଦମଡ଼ା ଗ୍ରାମରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଦମଡ଼ା ଗ୍ରାମର ଜଣେ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ନେବାକୁ ଆମ୍ବୁଲାନ୍ସ ସହ ଯୋଗାଯୋଗରେ ମଧ୍ୟ ସମସ୍ୟା ହୋଇଥିବା କୁହାଯାଇଛି। ଗାଁରେ ମୋବାଇଲ୍ ନେଟୱାର୍କ ସୁବିଧା ନଥିବାରୁ ଏହି ସମସ୍ୟା ହୋଇଥିବା ଗ୍ରାମବାସୀ କହିଛନ୍ତି।

ଅନ୍ୟପଟେ, ଦମଡ଼ା ଗାଁକୁ ଯିବା ରାସ୍ତାରେ ନାଳ ଓ କାଦୁଅ ଥିବାରୁ ପ୍ରାଇଭେଟ୍ ଗାଡ଼ି ମଧ୍ୟ ଅଧାବାଟରେ ଅଟକି ଯାଇଥିବା ଅଭିଯୋଗ ହୋଇଛି। ଫଳରେ ପରିବାର ଲୋକ ଓ ଗ୍ରାମବାସୀ ଗୁରୁତର ରୋଗୀଙ୍କୁ ଖଟିଆରେ ବୋହି ନାଳ ଓ କାଦୁଅ ରାସ୍ତା ପାର କରାଇଥିଲେ। ପରେ ତାଙ୍କୁ ପ୍ରାଇଭେଟ୍ ଗାଡ଼ି ଯୋଗେ ଫୁଲବାଣୀ ବଡ଼ ଡାକ୍ତରଖାନାକୁ ନିଆଯାଇଥିବା ଜଣାପଡ଼ିଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଏହା ଦିନକର ସମସ୍ୟା ନୁହେଁ। ଦୀର୍ଘଦିନ ଧରି ଟିକରପଡ଼ା ପଞ୍ଚାୟତର ଅନେକ ଅଞ୍ଚଳରେ ଗମନାଗମନ ସମସ୍ୟା ରହିଛି। ବର୍ଷା ଦିନେ ରାସ୍ତାର ଅବସ୍ଥା ଆହୁରି ଦୟନୀୟ ହେଉଥିବା ବେଳେ ଜରୁରୀ ସମୟରେ ରୋଗୀଙ୍କୁ ନେବାରେ ସମସ୍ୟା ହେଉଥିବା ସେମାନେ କହିଛନ୍ତି। ଏଥିସହ ମୋବାଇଲ୍ ନେଟୱାର୍କ ସମସ୍ୟା ମଧ୍ୟ ରହିଥିବା ଅଭିଯୋଗ କରାଯାଇଛି।

ରାଜ୍ୟରେ ‘ଡବଲ ଇଞ୍ଜିନ୍ ସରକାର’ ଓ ‘ଡବଲ ବିକାଶ’କୁ ନେଇ ସରକାରୀ ସ୍ତରରେ ଆଲୋଚନା ହେଉଥିବା ବେଳେ ଦମଡ଼ା ଗ୍ରାମର ଏହି ଘଟଣା ଗ୍ରାମାଞ୍ଚଳର ରାସ୍ତା ଓ ଜରୁରୀ ସ୍ୱାସ୍ଥ୍ୟସେବାର ପହଞ୍ଚକୁ ନେଇ ପ୍ରଶ୍ନ ଉଠାଇଛି।

ତେବେ ଦମଡ଼ା ଭଳି ଦୁର୍ଗମ ଅଞ୍ଚଳର ରାସ୍ତା ସମସ୍ୟା କେବେ ସମାଧାନ ହେବ ଏବଂ ଜରୁରୀ ସମୟରେ ଆମ୍ବୁଲାନ୍ସ ଗାଁ ଭିତରକୁ ସହଜରେ ପହଞ୍ଚିପାରିବ କି ନାହିଁ, ତାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରଶ୍ନ ରହିଛି। ଏଥିସହ ମୋବାଇଲ୍ ନେଟୱାର୍କ ସମସ୍ୟାର ସମାଧାନ ପାଇଁ ମଧ୍ୟ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *