୧୦ଟି ଜିଲ୍ଲାର ୬୦ ଜଣ ପ୍ରତିଯୋଗୀଙ୍କ ସାମିଲ; ରାଜ୍ୟରେ ସାହସିକ କ୍ରୀଡ଼ା ଓ ନଦୀଭିତ୍ତିକ ପର୍ଯ୍ୟଟନର ପ୍ରସାର ଲକ୍ଷ୍ୟ
ଓଡ଼ିଶ୍ରୀ ସମ୍ବାଦ: ଓଡ଼ିଶାରେ ସାହସିକ କ୍ରୀଡ଼ା ଓ ଜଳପର୍ଯ୍ୟଟନକୁ ନୂଆ ଦିଶା ଦେବା ଉଦ୍ଦେଶ୍ୟରେ ମହାନଦୀ ବକ୍ଷରେ ଆୟୋଜିତ ‘ମହାନଦୀ ରିଭର ରାଫ୍ଟିଂ ୨୦୨୬’ ଅଭିଯାନ ଶେଷ ହୋଇଛି। କଟକ ଜିଲ୍ଲାର ପ୍ରସିଦ୍ଧ ଭଟ୍ଟାରିକା ପୀଠରୁ ଆରମ୍ଭ ହୋଇଥିବା ଏହି ଜଳଯାତ୍ରା ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପରେ ଶେଷ ହୋଇଛି।
ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ନ୍ୟାସନାଲ ଆଡଭେଞ୍ଚର ଫାଉଣ୍ଡେସନ୍ର ଓଡ଼ିଶା ଶାଖାର ମିଳିତ ଆନୁକୂଲ୍ୟରେ ଏହି ସାହସିକ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅକ୍ଟୋବର ୩୧ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ନଭେମ୍ବର ୭ ତାରିଖରେ ଶେଷ ହୋଇଛି। ଏଥିରେ ୧୦ଟି ଜିଲ୍ଲାର ୬୦ ଜଣ ପ୍ରତିଯୋଗୀ ସାମିଲ ହୋଇଥିଲେ।
ମହାନଦୀର ଜଳସ୍ରୋତ ଓ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ରାଫ୍ଟରମାନେ ଏହି ଜଳଯାତ୍ରା ସମ୍ପନ୍ନ କରିଥିଲେ। ଏହି ଅଭିଯାନ ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ସାହସିକତା, ଦଳଗତ ଭାବନା ଓ ଏକତାର ମନୋଭାବ ବିକଶିତ କରିବା ସହ ରାଜ୍ୟରେ ନଦୀଭିତ୍ତିକ ପର୍ଯ୍ୟଟନର ପ୍ରଚାର ଓ ପ୍ରସାର କରିବାକୁ ଲକ୍ଷ୍ୟ ରଖାଯାଇଥିଲା।
ମହାନଦୀକୁ ନେଇ ଏଭଳି ସାହସିକ କ୍ରୀଡ଼ା ଆୟୋଜନ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ସୁଯୋଗ ଦେବା ସହ ଯୁବପିଢ଼ିଙ୍କୁ ଜଳକ୍ରୀଡ଼ା ପ୍ରତି ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
