‘ଏକ ଦେଶ, ଏକ ନିର୍ବାଚନ’ ଉପରେ ବକ୍ତୃତା ପ୍ରତିଯୋଗିତା; କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ
ଫୁଲବାଣୀ, (ଓଡ଼ିଶ୍ରୀ ସମ୍ବାଦ): ମାଇ ଭାରତ କନ୍ଧମାଳ ଜିଲ୍ଲା ପକ୍ଷରୁ ଫୁଲବାଣୀସ୍ଥିତ ଜିଲ୍ଲା ପରିଷଦ ସଭାଗୃହରେ ‘ବିକଶିତ ଭାରତ ଯୁବ ସଂସଦ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ କନ୍ଧମାଳ ଜିଲ୍ଲାର ୨୦୦ରୁ ଊର୍ଦ୍ଧ୍ୱ ଯୁବକ-ଯୁବତୀ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ସହରାଞ୍ଚଳ ବିକାଶ ପ୍ରକଳ୍ପ ଅଧିକାରୀ ପ୍ରବୀଣ କୁମାର ବାଣୁଆ, ଜିଲ୍ଲା ଦକ୍ଷତା ତଥା ନିୟୋଜନ ଅଧିକାରୀ ପୁରୁଷୋତ୍ତମ ମହାପାତ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ସମୀର କୁମାର ନାୟକ ଓ ଅଧ୍ୟାପିକା ନିବେଦିତା ପଟ୍ଟନାୟକ ଯୋଗଦେଇଥିଲେ।
ବିଚାରକ ଭାବେ ରବୀନ୍ଦ୍ରନାଥ ମିଶ୍ର, ନବକିଶୋର ରଥ, ଡ. ପୂର୍ଣ୍ଣେନ୍ଦୁ ତ୍ରିପାଠୀ, ମନୋଜ କୁମାର ପଟ୍ଟନାୟକ ଓ ନିରଞ୍ଜନ ପାଣ୍ଡେ ଉପସ୍ଥିତ ଥିଲେ।
ଏହି ଅବସରରେ ‘ଏକ ଦେଶ, ଏକ ନିର୍ବାଚନ’ ବିଷୟବସ୍ତୁକୁ ନେଇ ବକ୍ତୃତା ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗିତାରେ ପ୍ରତ୍ୟୁଷା ଦାସ ପ୍ରଥମ, ଶ୍ରଦ୍ଧାଞ୍ଜଳି ସାହୁ ଦ୍ୱିତୀୟ ଓ ସରିତା ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଏଲ୍ ନାରାୟଣୀ ରେଡ୍ଡୀ ଓ ଜ୍ୟୋତିରଞ୍ଜନ ଦିଗାଲଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ଦିଆଯାଇଥିଲା। ମୁଖ୍ୟ ଅତିଥିଙ୍କ ଦ୍ୱାରା କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଯୁବକ-ଯୁବତୀଙ୍କୁ ଅବଗତ କରାଇଥିଲେ। ମାଇ ଭାରତ କନ୍ଧମାଳ ଜିଲ୍ଲାର ସହକର୍ମୀ ସତ୍ୟବାନ ଦଳବେହେରା ଅତିଥି ଓ ଉପସ୍ଥିତ ଯୁବପ୍ରତିଭାମାନଙ୍କୁ ସ୍ୱାଗତ କରିଥିବା ବେଳେ ମନୋଜ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
