୮୦ ବର୍ଷୀୟ ବୃଦ୍ଧ ଚାଷୀଙ୍କ ସମେତ ଦୁଇ ପରିବାର ଚିନ୍ତାରେ; କ୍ଷୟକ୍ଷତି ଆକଳନ ପାଇଁ କୃଷି ବିଭାଗ ଓ ପ୍ରଶାସନକୁ ନିବେଦନ
ବାଲିଗୁଡ଼ା, (ଓଡ଼ିଶ୍ରୀ ସମ୍ବାଦ): ବାତ୍ୟାର ପ୍ରଭାବ କମିଛି, ପବନ ଓ ବର୍ଷା ଥମିଛି। କିନ୍ତୁ କନ୍ଧମାଳ ଜିଲ୍ଲାର ଦୁଇ ଚାଷୀଙ୍କ ଚିନ୍ତା ଦୂର ହୋଇନାହିଁ। ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ୭ ଏକର ଜମିରେ ମକା ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଗୋଟିଏ ପଟେ ଫସଲ କ୍ଷତି, ଅନ୍ୟପଟେ ଚାଷ ପାଇଁ କରିଥିବା ଋଣ ପରିଶୋଧର ଚିନ୍ତା ଏବେ ଚାଷୀଙ୍କୁ ଘାରିଛି। ଏଭଳି ସ୍ଥିତି ଦାରିଙ୍ଗବାଡ଼ି ବ୍ଲକ୍ ଗଦାପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମେରାମାହା ଗ୍ରାମରେ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ମେରାମାହା ଗ୍ରାମର ୮୦ ବର୍ଷୀୟ ଚାଷୀ ପୁରୋସ୍ତମ ରାଉତ ୫ ଏକର ଜମିରେ ମକା ଚାଷ କରିଥିଲେ। ଚାଷ ପାଇଁ ସେ ସାହୁକାରଙ୍କଠାରୁ ଋଣ ଆଣି ମଞ୍ଜି, ସାର ଓ ଅନ୍ୟାନ୍ୟ ଖର୍ଚ୍ଚରେ ଟଙ୍କା ବିନିଯୋଗ କରିଥିଲେ। ସେହିପରି ୫୭ ବର୍ଷୀୟ କ୍ଷୁଦ୍ର ଚାଷୀ ବୁଲେଶ୍ୱର ବିଷୋୟୀ ୨ ଏକର ଜମିରେ ଋଣ କରି ମକା ଚାଷ କରିଥିଲେ।
ଉଭୟ ଚାଷୀ ଭଲ ଅମଳ ଆଶାରେ ଦୀର୍ଘ ଦିନ ଧରି ପରିଶ୍ରମ କରିଥିଲେ। ହେଲେ ବାତ୍ୟା ପ୍ରଭାବିତ ବର୍ଷା ଓ ପବନ ଯୋଗୁଁ ମୋଟ ୭ ଏକର ଜମିର ମକା ଫସଲ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ସେମାନେ କହିଛନ୍ତି। ଫଳରେ ଫସଲରୁ ଆଶା କରିଥିବା ଆୟ ହରାଇବା ସହ ଋଣ ପରିଶୋଧ କିପରି କରିବେ, ସେନେଇ ଉଭୟ ପରିବାର ଚିନ୍ତାରେ ଅଛନ୍ତି।
ଫସଲ ନଷ୍ଟ ହେବା ପରେ ଚାଷୀମାନେ କୃଷି ବିଭାଗକୁ ନିଜ ସମସ୍ୟା ଜଣାଇ କ୍ଷୟକ୍ଷତିର ଆକଳନ କରିବାକୁ ନିବେଦନ କରିଛନ୍ତି। ତେବେ ଏପର୍ଯ୍ୟନ୍ତ କ୍ଷୟକ୍ଷତିର ସରକାରୀ ଆକଳନ ହୋଇଛି କି ନାହିଁ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।
ଏଣୁ ଦାରିଙ୍ଗବାଡ଼ି ବିଡିଓ ଓ ଜିଲ୍ଲା କୃଷି ଅଧିକାରୀଙ୍କୁ ମେରାମାହା ଗ୍ରାମର କ୍ଷତିଗ୍ରସ୍ତ ଜମି ପରିଦର୍ଶନ କରିବା ସହ କ୍ଷେତ୍ରସ୍ତରରେ ଫସଲର ସ୍ଥିତି ଯାଞ୍ଚ କରିବାକୁ ଦାବି ହୋଇଛି। ନିରପେକ୍ଷ ଭାବେ କ୍ଷୟକ୍ଷତି ଆକଳନ କରି ସରକାରୀ ନିୟମ ଅନୁଯାୟୀ ଯୋଗ୍ୟ ଚାଷୀଙ୍କୁ କ୍ଷତିପୂରଣ ଓ ଆବଶ୍ୟକ କୃଷି ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।
ବିଶେଷକରି ୮୦ ବର୍ଷୀୟ ବୃଦ୍ଧ ଚାଷୀଙ୍କ ଫସଲ କ୍ଷତି ଓ ଋଣ ବୋଝକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି। ଏବେ ଚାଷୀଙ୍କ ଅପେକ୍ଷା, କେବେ କ୍ଷୟକ୍ଷତିର ଆକଳନ ହେବ ଏବଂ କେବେ ନିୟମାନୁସାରେ ସରକାରୀ ସହାୟତା ମିଳିବ।
