• Thu. Nov 5th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ରାସ୍ତାରୁ ଉଠିଗଲା ପିଚୁ, ଖାଲଖମାରେ ହିନସ୍ତା ଲୋକେ

Byodishri Live

Sep 28, 2026

ରାଜକନିକା (ଓଡ଼ିଶ୍ରୀ ସମ୍ବାଦ): ପଟାମୁଣ୍ଡାଇ ପୂର୍ତ୍ତ ଉପବିଭାଗ ଅଧୀନ ରାଜକନିକା ସଦର ଗଞ୍ଜା ଗ୍ରାମର ତାରିଣୀ ଛକରୁ ଅଶୋକ ବଜାର ପର୍ଯ୍ୟନ୍ତ ରାସ୍ତା ଏବେ ଶୋଚନୀୟ ଅବସ୍ଥାରେ। ରାସ୍ତାରୁ ପିଚୁ ଉଠିଯାଇ ଅନେକ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଥିବା ବେଳେ ବର୍ଷାଜଳ ଜମି ରହୁଛି। ରାସ୍ତାର ଉଭୟ ପାର୍ଶ୍ୱ ମଧ୍ୟ ଭାଙ୍ଗିବାକୁ ଲାଗିଛି।

ଆଉ କିଛି ଦିନ ପରେ ଦୁର୍ଗାପୂଜା ଆସୁଥିବାରୁ ଗାଁଠାରୁ ସହର ପର୍ଯ୍ୟନ୍ତ ପାର୍ବଣର ମାହୋଲ ଜମିବ। ଏହି ସମୟରେ ରାସ୍ତାର ଦୁରବସ୍ଥା ଯୋଗୁଁ ଯାତାୟାତ ନେଇ ସ୍ଥାନୀୟ ଲୋକେ ଚିନ୍ତା ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଏହି ରାସ୍ତାରେ ୨୦୧୬ ମସିହାରେ ପିଚୁ କାମ ହୋଇଥିଲା। ଏହାପରେ ଆବଶ୍ୟକ ମରାମତି କିମ୍ବା ପୁନରୁଦ୍ଧାର କାମ ହୋଇନଥିବାରୁ ଧୀରେଧୀରେ ରାସ୍ତାର ସ୍ଥିତି ଖରାପ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଏହି ରାସ୍ତାର ବିଶେଷ ଗୁରୁତ୍ୱ ରହିଛି। ଏହା ଜଳସେଚନ ବିଭାଗର ବଗି ଏମ୍ବାଙ୍କମେଣ୍ଟ ରାସ୍ତା ସହ ସଂଲଗ୍ନ ହୋଇ ପୂର୍ବ ଦିଗରେ କଟକ-ଚାନ୍ଦବାଲି ରାଜପଥକୁ ଏବଂ ପଶ୍ଚିମ ଦିଗରେ ଓଳାଭର ଅଞ୍ଚଳକୁ ସଂଯୋଗ କରୁଛି। ଦୂରତା କମ୍ ହେଉଥିବାରୁ ପ୍ରତିଦିନ ଶହ ଶହ ଲୋକ ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି। ଛାତ୍ରଛାତ୍ରୀମାନେ ପାଠପଢ଼ା ପାଇଁ ଯାତାୟାତ କରିବା ସହ ବ୍ଲକ, ତହସିଲ ଓ ଡାକ୍ତରଖାନାକୁ ଯିବା ପାଇଁ ମଧ୍ୟ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି।

ବିଶେଷକରି ଅଶୋକ ବଜାରସ୍ଥିତ ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ଥିବା ବଡ଼ ଖାଲକୁ ନେଇ ମଧ୍ୟ ଅଭିଯୋଗ ରହିଛି। ଏନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଦୁର୍ଗାପୂଜା ପୂର୍ବରୁ ରାସ୍ତାର ଆବଶ୍ୟକ ମରାମତି କରି ସାଧାରଣ ଲୋକଙ୍କ ଯାତାୟାତକୁ ସୁଗମ କରିବା ପାଇଁ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ନିକଟରେ ବେଣୁଧର ପରିଡ଼ା, ମନୋଜ ସେନାପତି, ରଞ୍ଜନ ସାମଲ, ଅଶୋକ ସାମଲଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *