କଟକ (ଓଡ଼ିଶ୍ରୀ ସମ୍ବାଦ): ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଫିଟନେସ୍ ଓ ପର୍ଯ୍ୟଟନର ବାର୍ତ୍ତା ନେଇ କଟକରେ ‘ପ୍ରୋମୋ ରନ୍’ ଆୟୋଜିତ ହୋଇଛି। ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଜ୍ୟର ୩୨ଟି ସ୍ଥାନରେ ଆୟୋଜିତ ସମକାଳୀନ ପ୍ରୋମୋ ରନ୍ର ଅଂଶବିଶେଷ ଭାବେ କଟକରେ ଏହି କାର୍ଯ୍ୟକ୍ରମ ହୋଇଥିଲା।
ଜବାହରଲାଲ ନେହେରୁ ଇନ୍ଡୋର୍ ଷ୍ଟାଡିୟମ୍ ପରିସରରୁ ପ୍ରୋମୋ ରନ୍ର ଶୁଭାରମ୍ଭ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ (ଉନ୍ନୟନ) ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପନିର୍ଦ୍ଦେଶକ ପର୍ଯ୍ୟଟନ ସୁଜାତା ପଟ୍ଟନାୟକ, ଅଲିମ୍ପିଆନ୍ ଡି. ପି. ଇରାନୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରବୀନ୍ଦ୍ର ସରକାର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ଵାଗତିକା ବେହେରା ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଗଙ୍ଗାଧର ବେହେରା ମିଳିତ ଭାବେ ପତାକା ଦେଖାଇ ଦୌଡ଼ର ଶୁଭାରମ୍ଭ କରିଥିଲେ।
ଏଥିରେ କଟକର ବିଭିନ୍ନ ବର୍ଗର ଲୋକଙ୍କ ସମେତ ଯୁବପିଢ଼ି, କ୍ରୀଡ଼ାବିତ୍, ରନର୍ସ, ପର୍ଯ୍ୟଟନପ୍ରେମୀ, ବିଭିନ୍ନ ବିଭାଗର ଅଧିକାରୀ ଓ ସାଧାରଣ ନାଗରିକ ଅଂଶଗ୍ରହଣ କରିଥିଲେ। ପ୍ରୋମୋ ରନ୍ ମାଧ୍ୟମରେ ‘ସୁସ୍ଥ ଓ ସକ୍ରିୟ ଓଡ଼ିଶା’ର ବାର୍ତ୍ତା ପ୍ରଚାର ସହ ରାଜ୍ୟର ପର୍ଯ୍ୟଟନ ସମ୍ଭାବନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାର ପ୍ରୟାସ କରାଯାଇଥିଲା।
ରାଜ୍ୟର ୩୨ଟି ସ୍ଥାନରେ ଆୟୋଜିତ ଏହି ପ୍ରୋମୋ ରନ୍ରେ ସମଗ୍ର ଓଡ଼ିଶାରୁ ୧୦ ହଜାରରୁ ଅଧିକ ରନର୍ସ ଅଂଶଗ୍ରହଣ କରିଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଡିସେମ୍ବର ୧୩, ୨୦୨୬ରେ ପୁରୀରେ ହେବାକୁ ଥିବା ‘OMC Puri Coastal Marathon 2026’ ପାଇଁ ଏହି ପ୍ରୋମୋ ରନ୍କୁ ରାଜ୍ୟବ୍ୟାପୀ ପ୍ରଚାର ଅଭିଯାନର ଏକ ଅଂଶ ଭାବେ ଆୟୋଜନ କରାଯାଇଥିଲା।
ଏହି ଅବସରରେ ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ଆୟୋଜିତ କୁଇଜ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
