• Fri. Nov 6th, 2026

Odishri Live

ସତ୍ୟ ଓ ବିଶ୍ବାସ ର ପରିଚୟ

ଗଣତନ୍ତ୍ରର ସୁରକ୍ଷା ପାଇଁ ସଂଗ୍ରାମ ଜାରି ରହିବ: କଂଗ୍ରେସ

Byodishri Live

Sep 28, 2026

କେନ୍ଦୁଝର:(ଓଡ଼ିଶ୍ରୀ ସମ୍ବାଦ): ଭୋଟର ତାଲିକାରୁ ନାମ ବାଦ ପ୍ରସଙ୍ଗ ଓ ନିର୍ବାଚନ ପ୍ରକ୍ରିୟାକୁ ନେଇ ଦଳ ପକ୍ଷରୁ ଉଠାଯାଇଥିବା ଅଭିଯୋଗ ବିରୋଧରେ କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଜିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ଜେନାଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ପ୍ରତିବାଦ କରାଯାଇଥିଲା।

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଭୋଟର ତାଲିକାରୁ ଯୋଗ୍ୟ ଭୋଟରଙ୍କ ନାମ ବାଦ ପଡ଼ିବା ଗଣତାନ୍ତ୍ରିକ ଅଧିକାର ସହ ଜଡ଼ିତ ଏକ ଗୁରୁତର ପ୍ରସଙ୍ଗ। ଏହି ପ୍ରସଙ୍ଗରେ ଦଳ ଗଣତନ୍ତ୍ରର ସୁରକ୍ଷା ପାଇଁ ଆନ୍ଦୋଳନ ଜାରି ରଖିବ ବୋଲି କହିଛି।

ଏହି ଅବସରରେ ସ୍ଥାନୀୟ କଂଗ୍ରେସ ଭବନରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରତିବାଦ ଯାତ୍ରା କରାଯାଇଥିଲା। ଦଳ ପକ୍ଷରୁ ଦାବି କରାଯାଇଛି ଯେ, ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ନାମ ବାଦ ନପଡ଼ିବା ନେଇ ଆବଶ୍ୟକ ପଦକ୍ଷେପ ନିଆଯାଉ।

ଓଡ଼ିଶାର SIR ପ୍ରକ୍ରିୟାରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପରେ ୨୦ ଲକ୍ଷରୁ ଅଧିକ ନାମ ବାଦ ପଡ଼ିଥିବା ନିର୍ବାଚନ କର୍ତ୍ତୃପକ୍ଷଙ୍କ ତଥ୍ୟରୁ ଜଣାପଡ଼ିଥିଲା। ପରେ ଦାବି ଓ ଆପତ୍ତି ପ୍ରକ୍ରିୟା ପରେ ଚୂଡ଼ାନ୍ତ ତାଲିକାରେ ବାଦ ପଡ଼ିଥିବା ନାମର ସଂଖ୍ୟାରେ ପରିବର୍ତ୍ତନ ହୋଇଛି। କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ମୃତ୍ୟୁ, ସ୍ଥାନାନ୍ତରଣ, ଅନୁପସ୍ଥିତି ଓ ଏକାଧିକ ସ୍ଥାନରେ ପଞ୍ଜୀକରଣ ଭଳି କାରଣରୁ ଅନେକ ନାମ ବାଦ ପଡ଼ିଛି।

ପ୍ରତିବାଦ ସଭାରେ କଂଗ୍ରେସ ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯାଇଥିଲା। ଏଥିସହ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ମଧ୍ୟ ଦଳ ପକ୍ଷରୁ ସରକାରଙ୍କ ଉପରେ ଅଭିଯୋଗ ଉଠାଯାଇଥିଲା।

ପ୍ରତିବାଦ ସମୟରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଓ ମୁଖ୍ୟ ନିର୍ବାଚନ କମିଶନରଙ୍କ ପ୍ରତିକୃତି ଦାହ କରାଯାଇଥିଲା ବୋଲି ଦଳ ପକ୍ଷରୁ କୁହାଯାଇଛି।

କାର୍ଯ୍ୟକ୍ରମରେ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡ଼ା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ପୂର୍ବତନ ସାଂସଦ ପ୍ରାର୍ଥୀ ବିନୋଦ ବିହାରୀ ନାଏକ, ଐତିହ ଦିବ୍ୟ ସିଂହ, ଲଳିତ ମୋହନ ନାୟକ, ଚିତ୍ତରଞ୍ଜନ ପାତ୍ର, ଶୁଭମ ରାଜ, ସୁଢଳ କୁମାର ସେଠୀ, ରମେଶ ଚନ୍ଦ୍ର ବାରିକଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *